ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଟକ ରେଳ ଷ୍ଟେସନରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ତଥା ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରେଳ ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସବୁଜ ପତାକା ଦେଖାଇ ଭଦ୍ରକ-ନୟାଗଡ଼ ଟାଉନ-ଭଦ୍ରକ ମେମୁ ଟ୍ରେନର ଶୁଭାରମ୍ଭ କରିଛନ୍ତି।
କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ତଥା ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୩୦ ମାର୍ଚ୍ଚ ୨୦୨୩ ଶ୍ରୀରାମ ନବମୀ ଦିବସରେ ଭଦ୍ରକ-ନୟାଗଡ଼ ଟାଉନ-ଭଦ୍ରକ ମେମୁ ଟ୍ରେନର ଶୁଭାରମ୍ଭ ଅବସରରେ କଟକ ରେଳ ଷ୍ଟେସନ ଠାରେ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରିଛନ୍ତି ଶୁଭାରମ୍ଭ ଦିବସରେ ଏହି ଟ୍ରେନ୍ କଟକ ଷ୍ଟେସନରୁ ଛାଡିବ କିନ୍ତୁ ଏହି ଟ୍ରେନର ନିୟମିତ ସେବା ୩୧ ମାର୍ଚ୍ଚ ୨୦୨୩ରୁ ଉଭୟ ପାର୍ଶ୍ୱରୁ ପ୍ରାରମ୍ଭ କରାଯିବ।
ଏହି ଟ୍ରେନର ପ୍ରଚଳନ ଉଭୟ ଭଦ୍ରକ ଏବଂ ନୟାଗଡ଼ ଜିଲ୍ଲାର ଲୋକଙ୍କ ଆକାଂକ୍ଷାକୁ ପୂରଣ କରିପାରିବ। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନର ପୁନଃ ବିକାଶର ଭିତ୍ତିପ୍ରସ୍ତର ସମାରୋହରେ ଭଦ୍ରକରୁ ଭୁବନେଶ୍ୱର ଅଭିମୁଖେ ଏକ ନୂତନ ଟ୍ରେନ୍ ଚଳାଚଳ କରାଇବାକୁ ଘୋଷଣା କରିଥିଲେ। ଏହି ଅଞ୍ଚଳର ଯାତ୍ରୀମାନଙ୍କ ଆରାମ ତଥା ସୁବିଧା ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନିରନ୍ତର ପ୍ରଚେଷ୍ଟାର ଏହା ହେଉଛି ଫଳାଫଳ। ମଧ୍ୟବର୍ତ୍ତୀ ଷ୍ଟେସନ ମାନଙ୍କରେ ଟ୍ରେନ ବଦଳାଇବା ପରିବର୍ତ୍ତେ ଏହି ଟ୍ରେନ ସିଧା ସଳଖ ଭାବେ ଯାତ୍ରା ପାଇଁ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣଙ୍କୁ ସୁବିଧା ଯୋଗାଇବ। ଏହି ନୂତନ ଟ୍ରେନ୍ ଏହାର ଶୁଭାରମ୍ଭ ଦିନରେ ଅର୍ଥାତ୍ ୩୦ ମାର୍ଚ୍ଚ ୨୦୨୩ରେ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ଚଳାଚଳ କରିବ ।
08555/08556 ଭଦ୍ରକ-ନୟାଗଡ଼ ଟାଉନ୍-ଭଦ୍ରକ୍ ମେମୁ ଟ୍ରେନ ଭଦ୍ରକରୁ ସକାଳ ୦୫ଘ.୪୫ମି.ରେ ଛାଡି ପୂର୍ବାହ୍ନ ୧୧ଘ.୫୫ମି.ରେ ନୟାଗଡ଼ ଟାଉନରେ ପହଞ୍ଚିବ । ଫେରିବା ମାର୍ଗରେ ନୟାଗଡ଼ ଟାଉନରୁ ଏହି ଟ୍ରେନ୍ ଅପରାହ୍ନ ୦୫ଘ.୦୫ମି.ରେ ଛାଡି ଭଦ୍ରକ ଠାରେ ରାତ୍ରି ୧୦ଘ.୪୫ମି.ରେ ପହଞ୍ଚିବ । ଏହି ଟ୍ରେନ୍ ଉଭୟ ଦିଗରୁ ଭଦ୍ରକ ଏବଂ ନୟାଗଡ଼ ଟାଉନ୍ ମଧ୍ୟରେ ଥିବା ସମସ୍ତ ଷ୍ଟେସନ୍ ଏବଂ ପାସେଞ୍ଜର ହଲ୍ଟ ମାନଙ୍କରେ ରହଣି କରିବ।