ଓଡିଆ ନ୍ୟୁଜ୍(ବ୍ୟୁରୋ): ବର୍ଷାରେ ଭିଜୁଛି ସାରା ଓ଼ଡ଼ିଶା । ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ୱେଲମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ୪୮ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ । ଏହାପରେ ଓଡିଶା ଓ ଛତିଶଗଡ଼ର ପଶ୍ଚିମ- ଉତ୍ତରପଶ୍ଚିମ ଦିଗରେ ଗତି କରିବ ଡିପ୍ରେସନ । ଏହାର ପ୍ରଭାବରେ ରାଜ୍ୟରେ ୪ ଦିନ ବର୍ଷା ଜାରି ରହିବ । ୨୪ ଘଣ୍ଟାରେ ଭୀଷଣ ବର୍ଷା ପାଇଁ ୨ ଜିଲ୍ଲା କଳାହାଣ୍ଡି ଓ ରାୟଗଡ଼ାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହି ୨ ଜିଲ୍ଲାର କିଛି ସ୍ଥାନରେ ୭ରୁ ୨୦ ସେଣ୍ଟିମିଟର କିମ୍ବା ତାଠୁ ଅଧିକ ବର୍ଷା ହୋଇପାରେ ।
ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୮ ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦିଆଯାଇଛି । ପ୍ରବଳ ବର୍ଷା ଆଶଙ୍କା ଥିବା ୧୦ ଜିଲ୍ଲା ପୁରୀ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, କଟକ, ଜଗତସିଂହପୁର ଓ ଅନୁଗୋଳ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ । କାଲିଠୁ ରାଜ୍ୟରେ ବଢ଼ିବ ବର୍ଷା । ବିଭିନ୍ନ ଜିଲ୍ଲାରେ ମୂଷଳଧାରାରେ ବର୍ଷା ହେବ । ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୧୧ ଜିଲ୍ଲାକୁ ଅରେଞ୍ଜ ଓ ୧୨ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଦିଆଯାଇଛି । ୧୦ ତାରିଖ ପରେ କମିବ ବର୍ଷା ।