ଓଡିଆ ନ୍ୟୁଜ୍(ବ୍ୟୁରୋ): ସୁନ୍ଦରପଦା ଜଟଣୀ ରାସ୍ତାରେ ମୋ ବସ ଉପରେ ନିର୍ଘାତ ମାଡ଼ । ଲୁହା ରଡ଼ରେ ବାଡେଇ ଭାଙ୍ଗିଦେଲେ ବସ କାଚ।ଆହତ ଡ୍ରାଇଭର ଥାନାରେ ଏତଲା ଦେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ମିଳିଛି । ସୂଚନା ମୁତାବକ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରୁ ବାହାରି ସୁନ୍ଦରପଦା ଦେଇ ରୁଟ ନମ୍ବର 22 A ନମ୍ବର ବିଶିଷ୍ଟ ମୋ ବସକୁ ଓଇସି ଛକ ନିକଟରେ ଦିନ 12 ଟା ସମୟରେ ଜଣେ ଯୁବକ ଅଟକାଇଥିଲେ। ବୁଝିବା ପୂର୍ବରୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଏକ ଲୁହା ରଡ଼ରେ ଡ୍ରାଇଭର ସାଇଡରୁ ଆସି ନିର୍ଘାତ ପ୍ରହାର କରି ଚାଲିଥିଲେ। ସାଇଡ ଗ୍ଲାସ ଭାଙ୍ଗିବା ପରେ ସାମ୍ନା ପଟରୁ ମଧ୍ୟ କାଚକୁ ବାଡେଇ ଭାଙ୍ଗିଥିଲେ । ଭଙ୍ଗା କାଚ ବାଜି ଡ୍ରାଇଭର ହାତ ଗୋଡ଼ ମୁହଁରେ ଆଘାତ ଲାଗିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ହସ୍ପିଟାଲରେ ମୋ ବସ ଅଧିକାରୀ ମାନେ ପହଞ୍ଚି ଡ୍ରାଇଭରଙ୍କୁ ଚିକିତ୍ସା କରାଇ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଡ୍ରାଇଭର ଜଣଙ୍କ ଘର ନୟାଗଡ଼ ଅଞ୍ଚଳରେ ହୋଇଥିବା ଖବର ମିଳିଛି ।
ତେବେ କଣ ପାଇଁ ମୋ ବସ କୁ ଆକ୍ରମଣ କରାଯାଇଛି ଖବର ନେବାରେ ଜଣାପଡିଛି କି ବସ ଟି ସୁନ୍ଦରପଦା ପଟରୁ ଆସୁଥିବା ବେଳେ ବିରବନ୍ଧ ନିକଟରେ ରାସ୍ତା ଉପରେ ଯାତ୍ରୀ ଉଠାଉଥିଲେ । ଯେହେତୁ ରାସ୍ତା ସଂକୀର୍ଣ୍ଣ ଏବଂ ବସ ଟି ରାସ୍ତା ଉପରେ ଛିଡା କରି ଯାତ୍ରୀ ଉଠାଉଥିଲେ ପଛରୁ ଆସୁଥିବା ଲୋକମାନେ ଗାଡି ବ୍ରେକ କରି ଛିଡା ହୋଇ ରହିଥିଲେ । ଆକ୍ରମଣ କରିଥିବା ଯୁବକ ମଧ୍ୟ ସେହି ସମୟରେ ଆସି ଡ୍ରାଇଭର ସହ ଯୁକ୍ତି କରି ହୋ ହାଲ୍ଲା କରିଥିବାର ସୂଚନା ମିଳିଛି । ଯୁବକ ଜଣକ ବସ ଆଗେ ଆଗେ ଆସି ଓଇସି ଛକ ନିକଟରେ ଥିବା ନିଜ ଦୋକାନରୁ ଲୁହା ରଡ଼ ଆଣି ଗାଡିକୁ ଅଟକାଇ ନିର୍ଘାତ ପ୍ରହାର କରିଥିଲେ । ଗାଡିର କାଚ ଭାଙ୍ଗି ଯିବାରୁ ଡ୍ରାଇଭର ଆହତ ହୋଇଥିଲେ ଏବଂ ପରେ ଥାନାରେ ଏତଲା ଦେଇଛନ୍ତି ।