ମଝି ଆକାଶରେ ଯାତ୍ରୀଙ୍କୁ ହୃଦଘାତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଗୁଜୁରାଟର ଅହମ୍ମଦାବାଦରୁ ଦୁବାଇ ଯାଉଥିବା ଏକ ସ୍ପାଇସଜେଟ ବିମାନ ଗତକାଲି(ମଙ୍ଗଳବାର) ରାତିରେ ପାକିସ୍ତାନର କରାଚିରେ ଅବତରଣ କରିଛି । ମଝି ଆକାଶରେ ଜଣେ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ବିମାନକୁ କରାଚି ଡାଇଭର୍ଟ କରାଯାଇଛି । ସମ୍ପୃକ୍ତ ଯାତ୍ରୀଙ୍କ ହୃଦଘାତ ଆସିଥିବା ଆଶଙ୍କା କରାଯାଇଥିଲା ।

ତାଙ୍କର ଜରୁରୀ ଚିକିତ୍ସା ପାଇଁ ରାତି ପ୍ରାୟ ସାଢେ ୯ଟା ବେଳେ ବିମାନ କରାଚି ବିମାନ ବନ୍ଦରରେ ସୁରକ୍ଷିତ ଅବତରଣ କରିଥିଲା । ଏନେଇ ସ୍ପାଇସ୍‌ ଜେଟ୍‌ ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଏୟାରଲାଇନ୍ସ ମୁତାବକ, ସ୍ପାଇସଜେଟର ବୋଇଙ୍ଗ- ୭୩୭ ଫ୍ଲାଇଟ ଅହମ୍ମଦାବାଦରୁ ଦୁବାଇ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ମାତ୍ର ବିମାନଟି ମଝି ଆକାଶରେ ଥିବା ବେଳେ ୨୭ ବର୍ଷୀୟ ଯାତ୍ରୀ ଧାରବାଲ ଦରମେଶଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏପରିକି ତୁରନ୍ତ ତାଙ୍କୁ ମେଡିକାଲ ଚିକିତ୍ସାର ଆବଶ୍ୟକତା ପଡ଼ିଥିଲା।

ଏହାପରେ ବିମାନଟିକୁ କରାଚୀସ୍ଥିତ ଜିନ୍ନା ଆନ୍ତରାଷ୍ଟ୍ରୀୟ ଏୟାରପୋର୍ଟରେ ଜରୁରୀ ଅବତରଣ କରାଯାଇଥିଲା। ସେଠାରେ ତୁରନ୍ତ ଯୁବକଙ୍କୁ ମେଡିକାଲ ସହାୟତା ଯୋଗାଇ ଦିଆଯିବାରୁ ସେ ସୁସ୍ଥ ଅନୁଭବ କରିଥିଲେ। ଏହାପରେ ବିମାନଟି ଉକ୍ତ ଯାତ୍ରୀଙ୍କୁ ଧରି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଉଡ଼ାଣ ଭରିଥିଲା। ଏହା ପୂର୍ବରୁ ନଭେମ୍ବର ୨୩ରେ ହାଇଦ୍ରାବାଦରୁ ଉଡ଼ାଣ ଆରମ୍ଭ କରିଥିବା ଏକ ଇଣ୍ଡିଗୋ ବିମାନରେ ଜଣେ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇ ଯାଇଥିଲା। ଏହାପରେ ପାକିସ୍ତାନର କରାଚୀରେ ବିମାନର ଆପାତକାଳୀନ ଲ୍ୟାଣ୍ଡିଙ୍ଗ କରାଯାଇଥିଲା। ମାତ୍ର ଯାତ୍ରୀଙ୍କୁ ହସ୍ପିଟାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.