ବେଲଜିୟମ ଠାରେ ପ୍ରବାସୀ ଓଡିଆଙ୍କ ସମ୍ମିଳନୀରେ ଯୋଗଦେଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ବେଲଜିୟମ ଗସ୍ତରେ ଥିବା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଉଚ୍ଚଶିକ୍ଷା ଓ ସମବାୟ ମନ୍ତ୍ରୀ  ଅତନୁ ସବ୍ୟସାଚୀ ନାୟକ ଆଜି ସେଠାରେ ପ୍ରବାସୀ ଓଡିଆମାନଙ୍କ ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀରେ ଯୋଗ ଦେଇଛନ୍ତି । ବେଲଜିୟମର ବ୍ରୁସଲେସ ସହରର ସିଟି ସେଣ୍ଟର ଠାରେ ପ୍ରବାସୀ ଓଡିଆ ଦ୍ୱାରା ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମନ୍ତ୍ରୀ ଅତନୁ ଯୋଗ ଦେଇ ବେଲଜିୟମରେ ରହୁଥିବା ପ୍ରବାସୀ ଓଡିଆମାନେ ଏବେ ବି ନିଜ ଜନ୍ମାମାଟି ପ୍ରତି ଆବେଗ ରଖିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଏହି ଅବସରରେ ମନ୍ତ୍ରୀ ଅତନୁ କହିଥିଲେ ଯେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶାର ସାମଗ୍ରିକ ବିକାଶ ଆଜି ବିଶ୍ୱ ମାନଚିତ୍ରରେ ଓଡିଶାକୁ ପରଚିତ କରାଇପାରିଛି । ଏ କ୍ଷେତରେ ପ୍ରବାସୀ ଓଡିଆମାନଙ୍କର ମଧ୍ୟ ବଡ ଅବଦାନ ରହିଛି । ଏଥି ସହିତ ପ୍ରବାସୀ ଓଡିଆମାନଙ୍କ ପାଇଁ ଓଡିଶା ସରକାର ଗ୍ରହଣ କରିଥିବା ସ୍ୱତନ୍ତ୍ର ପଦକ୍ଷେପ, ଓଡିଶା ମୋ ପରିବାର ଏବଂ ମିଶନ ଶକ୍ତିର ସଫଳତା ଆଦି ସମ୍ପର୍କରେ ମନ୍ତ୍ରୀ ଅତନୁ ସୂଚନା ଦେଇଥିଲେ ।
ବିଦେଶରେ ରହୁଥିବା ପ୍ରବାସୀ ଓଡିଆମାନେ ଓଡିଶାର ଏହି ବିକାଶ ଧାରାରେ ନିଜକୁ ସାମିଲ କରିବାପାଇଁ ମନ୍ତ୍ରୀ ନାୟକ ସେମାନଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବେଲଜିୟମ ସ୍ଥିତ ପ୍ରବାସୀ ଓଡିଆମାନଙ୍କ ତରଫରୁ ମନ୍ତ୍ରୀ ଅତନୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମନ୍ତ୍ରୀ ଅତନୁଙ୍କ ସହିତ ବେଲଜିୟମ ଗସ୍ତରେ ଥିବା ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଟି.ପ୍ରସାଦ ରାଓ ଦୋରା ଏବଂ ପରିଚାଳନା ନିର୍ଦ୍ଦେଶକ ଉଦ୍ଧବ ଚନ୍ଦ୍ର ମାଝି ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପ୍ରବାସୀ ଓଡିଆମାନଙ୍କ ପକ୍ଷରୁ ଆୟୋଜିତ ସମ୍ମିଳନୀକୁ ବେଲଜିୟମର ସଞ୍ଜୟ ପରିଡା, ରଞ୍ଜିତ ପାଇକରାୟ, ରାମ କୁମାର ରଣା ଯାଦବ, ଅଂଶୁମାନ ତ୍ରିପାଠୀ ଏବଂ ନେଦରଲ୍ୟାଣ୍ଡର ଦୀପକ ପରିଡା ପ୍ରମୁଖ ସଫଳତାର ସହ ପରିଚାଳନା କରିଥିଲେ

Leave A Reply

Your email address will not be published.