ଜଗତସିଂହପୁର(ଓଡ଼ିଆ ନ୍ୟୁଜ୍): ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପ୍ରେମ ସମ୍ପର୍କକୁ ନେଇ ଦୀର୍ଘଦିନଧରି ଲାଗିରହିଥିବା ବିବାଦର ଦ ଏଣ୍ଡ ହୋଇଛି । ଆଉ ଅଳ୍ପଦିନ ପରେ ବିବାହ ବନ୍ଧନରେ ବାନ୍ଧିହେବେ ବିଜୟ ଶଙ୍କର ଓ ସୋମାଲିକା ଦାସ । ଏନେଇ ଆଜି ଉଭୟ ବିଜୟ ଶଙ୍କର ଓ ତାଙ୍କ ପ୍ରେମିକା ସୋମାଲିକା ଦାସ ସବ-ରେଜିଷ୍ଟର ଅଫିସରେ ପହଞ୍ଚି ରେଜେଷ୍ଟ୍ରି ମ୍ୟାରେଜ ପାଇଁ ଆବେଦନ କରିଛନ୍ତି । ଦିବଂଗତ ବିଜେଡି ନେତା ସ୍ବର୍ଗତ ବିଷ୍ଣୁ ଦାସଙ୍କ ପୁଅ ତଥା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଜଗତସିଂହପୁର ସଦର ଥାନା ଦେଉଳିଗ୍ରାମେଶ୍ୱର ସଂଗ୍ରାମ କେଶରୀ ଦାଶଙ୍କ ଝିଅ ସୋମାଲିକା ଦାଶଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଗଢିଉଠିଥିଲା।
ମାତ୍ର କୌଣସି କାରଣ ପାଇଁ ଦିଛିଦିନ ହେବ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେଇଥିଲା । ଏହି ମନୋମାଳିନ୍ୟ ଏପରି ସ୍ଥିତିରେ ପହଞ୍ଚିଥିଲା ଯେ ସୋମାଲିକା ସେମାନଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ସୋସିଆଲ ମେଡିଆରେ ଭାଇରାଲ କରିଥିଲେ । ଏହାକୁ ନେଇ ବିବାଦ ବଢିବାରୁ ବିଜୟ ଶଙ୍କରଙ୍କ ନାମରେ ସୋମାଲିକା ଜଗତସିଂହପୁର ଏସ୍ପିଙ୍କୁ ଲିଖିତ ଅଭିଯୋଗ କରିଥିଲେ । ତେବେ, ଆଜି ଏହି ଘଟଣାକୁ ନେଇ ଉଭୟ ପକ୍ଷ ତଥା ବିଜୟ ଶଙ୍କର ଓ ସୋମାଲିକା ସେମାନଙ୍କର ଓକିଲଙ୍କ ସହଯୋଗରେ ଜଗତସିଂହପୁର ସବ ରେଜିଷ୍ଟର ଅଫିସରେ ପହଞ୍ଚି ବିବାହ ପାଇଁ ଆବେଦନ କରିଥିବା ସହ ଏହି ବିବାହ ଆବେଦନକୁ ନେଇ ଉଭୟ ଖୁସି ଥିବା କଥା କହିଛନ୍ତି ।