ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜମ୍ମୁକଶ୍ମୀରର ଶେଷ ରାଜ୍ୟପାଳ ଥିବା ସତ୍ୟପାଲ ମଲିକ ଟାର୍ଗେଟ କରିଛନ୍ତି। କେନ୍ଦ୍ରଶାସିତ ଅଂଚଳ ଭାବେ ଘୋଷଣା ହେବା ପୂର୍ବରୁ ସତ୍ୟପାଲ ମଲିକ ଏବେ ଏକ ସାକ୍ଷାତକାରରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ ଟାର୍ଗେଟ କରିଛନ୍ତି। ଦି ୱାୟାରର ବରିଷ୍ଠ ସାମ୍ବାଦିକ କରଣ ଥାପରଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ସତ୍ୟପାଲ ମଲିକ ଦାବି କରିଛନ୍ତି ଯେ ପୁଲୱାମା ଆକ୍ରମଣ ସମୟରେ ସିଆରପିଏଫ ଗୃହ ମନ୍ତ୍ରାଳୟରୁ ବିମାନ ମାଗିଥିଲା ଯାହା ଦିଆଯାଇନଥିଲା।
ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେ କହିଥିଲେ ଯେ ଆମର ଭୁଲ ହେତୁ ଏହା ଘଟିଛି, ସେତେବେଳେ ମୋଦୀ କହିଥିଲେ ଯେ ତୁମେ ଚୁପ୍ ରୁହ। ସାକ୍ଷାତକାରରେ ସତ୍ୟପାଲ କହିଛନ୍ତି ଯେ ସିଆରପିଏଫ ପକ୍ଷରୁ ଯବାନମାନଙ୍କୁ ନେବା ପାଇଁ ଗୃହ ମନ୍ତ୍ରାଳୟକୁ ବିମାନ ମଗାଯାଇଥିଲା। କାରଣ ଏତେ ସଂଖ୍ୟାରେ ଯବାନ କେବେ ବି ରାସ୍ତାରେ ଏକାଠି ଯାଆନ୍ତି ନାହିଁ । ତେବେ ଗୃହ ମନ୍ତ୍ରାଳୟ ବିମାନ ଦେବାକୁ ମନା କରିଦେଇଥିଲା । ଯଦି ସେମାନେ ମୋତେ ପଚାରିଥାନ୍ତେ, ମୁଁ ସେମାନଙ୍କୁ ଯେମିତି ବି ହେଉ ବିମାନ ଦେଇଥା’ନ୍ତି । କେବଳ ପାଞ୍ଚଟି ବିମାନ ଆବଶ୍ୟକ ଥିଲା। କିନ୍ତୁ ତାଙ୍କୁ ବିମାନ ଦିଆଯାଇନଥିଲା। ପ୍ରଧାନମନ୍ତ୍ରୀଙ୍କୁ ମୁଁ ଏହା କହିଥିଲି ଯେ ଆମର ଭୁଲ ହେତୁ ଏହି ଆକ୍ରମଣ ଘଟିଛି। ଯଦି ଆମେ ବିମାନ ଦେଇଥାନ୍ତୁ, ତେବେ ଏହା ହୋଇନଥାନ୍ତା।
ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ତୁମେ ଚୁପ୍ ରୁହ। ଉଲ୍ଲେଖ ଥାଉ କି ଫେବୃୟାରୀ ୧୪, ୨୦୧୯ରେ ସିଆରପିଏଫ ବହୁ ସଂଖ୍ୟାରେ ଯବାନ ବସ ଯୋଗେ ଯାଉଥିବାବେଳେ ସେମାନଙ୍କ ଉପରେ ଜଣେ ଆତଙ୍କବାଦୀ ବିସ୍ଫୋରକ ଭର୍ତ୍ତି ଗାଡି ମାଧ୍ୟମରେ ଆକ୍ରମଣ କରିଥିଲା। ଏଥିରେ ୪୦ ଜଣ ଯବାନ ସହିଦ ହୋଇଯାଇଥିଲେ । ସତ୍ୟପାଲ ମଲିକଙ୍କ ଏହି ସାକ୍ଷାତକାର ପରେ କଂଗ୍ରେସ, କେନ୍ଦ୍ର ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଜୋରଦାର ଆକ୍ରମଣ କରିଛି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ଏକ ସାକ୍ଷାତକାରରେ ସମ୍ବେଦନଶୀଳ ତଥ୍ୟ ପ୍ରକାଶ କରିଛନ୍ତି ଏବଂ ବର୍ତ୍ତମାନ ଏହି ସାକ୍ଷାତକାରର କଥାଗୁଡ଼ିକୁ ଦାବି ଦେବାର ଉଦ୍ୟମ କରାଯାଉଛି | କିନ୍ତୁ ସତ୍ୟକୁ ଦମନ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି ।