ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସ୍ବାଭାବିକ ଅବସ୍ଥାକୁ ଫେରିଲା ମୌସୁମୀ । ଉପକୂଳ ମୁହାଁ ହେଲା କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ଆରମ୍ଭ ହେଲା ବର୍ଷା । କାଲିଠୁ ବଢିବ ବର୍ଷାର ପରିମାଣ ଏବଂ ବିସ୍ତୃତି । ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର । ୨୪ ଘଣ୍ଟା ଯାଏଁ ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି । ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା । ୫ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର । ସହରିଆ ଅଞ୍ଚଳରେ ସୃଷ୍ଟି ହୋଇପାରେ କୃତ୍ରିମ ବନ୍ୟା । ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ଏସ୍ଆରସି । ଦୀର୍ଘ ଦିନ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେବା ପରେ ଆଜିଠାରୁ ମିଳିଛି ଆଶ୍ବସ୍ତି । ମୌସୁମୀ ନିମ୍ନ ଚାପରେଖା ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ପାଗ ବଦଳିବା ସହ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି ।
ଆସନ୍ତା କାଲି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କନ୍ଧମାଳ ଏବଂ ମୟୁରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିଭଳି ୭ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୬ଟି ଜିଲ୍ଲାକୁ ସତର୍କତା ଜାରି କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୧୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଲାଗିରହିବ ବୋଲି ଆକଳନ କରାଯାଇଛି । ଚଳିତ ମୌସୁମୀ ସଜିନ୍ ଜୁନ୍ ୧ ତାରିଖରୁ ଜୁଲାଇ ୫ ତାରିଖ ମଧ୍ୟରେ ରାଜ୍ୟରେ ୧୭୬.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହି ସମୟ ମଧ୍ୟରେ ରାଜ୍ୟରେ ୨୫୫.୮ ମିଲିମିଟର ବର୍ଷା ରେକର୍ଡ ହେବା କଥା । ଯାହା ସ୍ବାଭାବିକ ବର୍ଷା ଠାରୁ ୩୧ ପ୍ରତିଶତ ନିଅଣ୍ଟିଆ । ଦେବଗଡ ଜିଲ୍ଲାରେ ସର୍ବାଧିକ ୩୧ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଥିବା ବେଳେ ରାୟଗଡା ଜିଲ୍ଲାରେ ସର୍ବାଧିକ ୭୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।