ଓଡିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ଗରମ ଓ ଗୁଳୁଗୁଳିରୁ ମିଳିବ ତ୍ରାହି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ମୌସୁମୀ ଛୁଇଁବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ରଜକୁ ବର୍ଷା ଭିଜାଇବ ବୋଲି ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାକ୍ ମୌସୁମୀ ବର୍ଷା ପ୍ରଭାବରେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ବାଲେଶ୍ୱରରେ ସର୍ବାଧିକ ୫୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। କେନ୍ଦୁଝରରେ ୨୧.୬ ମିମି, ଦାରିଙ୍ଗବାଡ଼ିରେ ୨୦ ମିମି ଓ ପାରଳାଖେମୁଣ୍ଡିରେ ୧୮.୬ ମିଲିିମିଟର ବର୍ଷା ରେକର୍ଡ ହୋଇଛି।
ଗତ ଦୁଇଦିନ ତଳେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଥଣ୍ଡା ରହିଥିଲା । ଏଭଳି ରଜ ପାଗ ଜାରି ରହିବ ବୋଲି ଆଶା ଥିଲା । ହେଲେ ପାଣିପାଗ ବିଭାଗର ସାନି ଆକଳନକୁ ବିଶ୍ୱାସ କଲେ ଆସନ୍ତା ଦୁଇ ଦିନ ଭିତରେ ମୌସୁମୀ ଆସିବ ବୋଲି ସ୍ପଷ୍ଟ କରିଛି ପାଣିପାଗ କେନ୍ଦ୍ର। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି କି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଉ ୪୮ ଘଣ୍ଟା ଭିତରେ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ଏଥିପାଇଁ ପାଗ ଅନୁକୂଳ ରହିଛି।ଦକ୍ଷିଣ- ଓଡିଶା ର କିଛି ଅଞ୍ଚଳରେ ପ୍ରାକ ମୌସୁମୀ ବର୍ଷା ସକ୍ରିୟ ରହିଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡିଶା ପ୍ରବେଶ କରିବା ପାଇଁ ପାଗ ଅନୁକୂଳ ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଟ୍ବିଟ କରି କହିଛି। ସୂଚନାଯୋଗ୍ୟ, ଗତ ୧୩ ତାରିଖ ଦିନ ୧୫ କିମ୍ବା ୧୬ ତାରିଖ ସୁଦ୍ଧା ଓଡ଼ିଶା ମୌସୁମୀ ଛୁଇଁପାରେ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର(ଆଇଏମ୍ଡି) ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ସୂଚନା ଦେଇଥିଲେ।୧୬ତାରିଖ ସକାଳ ସୁଦ୍ଧା ଦକ୍ଷିଣ ଓଡିଶାର ବିଭିନ୍ନ ଅଞ୍ଚଳ ମୌସୁମୀ ବର୍ଷାରେ ଭିଜିବ। ଏହାପରେ ଧିରେଧିରେ ସମଗ୍ର ଓଡିଶାରେ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆର.କେ ଜେନାମଣି କହିଥିଲେ।