ଓଡିଆ ନ୍ୟୁଜ୍(ବ୍ୟୁରୋ): କେରଳ ଏବେ ଶୀତଳ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ କେରଳରେ ଆରମ୍ଭ ହୋଇଛି ଝିିପି ଝିପି ବର୍ଷା । ନିର୍ଦ୍ଧାରିତ ସମୟର ତିନି ଦିନ ପୂର୍ବରୁ ଆଜି କେରଳ ଛୁଇଁଛି ମୌସୁମୀ ବାୟୁ । ଆଇଏମଡିର ସୂଚନା ମୁତାବକ, ଆଗକୁ କେରଳର ବିଭିନ୍ନ ଅଞ୍ଚଳ ସହ କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ମନସୁନ୍ ପ୍ରଭାବ ଦେଖିବାକୁ ମିଳିବ । ଜୁନ୍ ୧ ଯାଏଁ କେରଳରେ ପ୍ରବଳ ବର୍ଷା ହେବ । ଏବେ ଆରବ ଓ ବଙ୍ଗୋପସାଗର ଆଡକୁ ମୌସୁମୀ ବାୟୁ ଅଗ୍ରସର ହୋଇଛି । ତାମିଲନାଡୁ ଦକ୍ଷିଣ ଭାଗରେ ମଧ୍ୟ ପ୍ରବେଶ କରିଛି ।
ଏପଟେ ମୌସୁମୀ ବାୟୁ ଓଡ଼ିଶା କେବେ ଛୁଇଁବ ସେ ନେଇ ଆକଳନ ହୋଇନାହିଁ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ ପାଇଁ ପାଗ ଅନୁକୂଳ ନଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସାଧାରଣତଃ ଜୁନ ୧୨ରୁ ୧୫ ଭିତରେ ମୌସୁମୀ ଓଡ଼ିଶା ଆସିଥାଏ । ମୌସୁମୀ ବାୟୁ ପ୍ରଭାବରେ ଓଡ଼ିଶାରେ ଭଲ ବର୍ଷାର ସମ୍ଭାବନା ରହିଛି । ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । ଲଙ୍ଗ ପରିୟଡ୍ ଆଭରେଜ ବର୍ଷା ପରିମାଣ ୯୯ ପ୍ରତିଶତ ରହିବା ନେଇ ଆଇଏମଡି ପୂର୍ବାନୁମାନ କରିଛି ।