୧୬ ଲକ୍ଷରୁ ଅଧିକ ଅଯୋଗ୍ୟ ରାସନକାର୍ଡଧାରୀ ଚିହ୍ନଟ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ୧୬ ଲକ୍ଷ ୨୭ ହଜାର ୯୩୨ ଭୂତ ରାଶନ କାର୍ଡଧାରୀ ଚିହ୍ନଟ ହୋଇଛି। ବିଧାୟକ ଦୁର୍ଗା ପ୍ରସାଦ ନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି। ୬ ଲକ୍ଷ ୧୯ ହଜାର ୮୩୬ ରାଶନ କାର୍ଡ ପାଇଁ ଆବେଦନ କରିଛନ୍ତି। କୌଣସି କାରଣରୁ ରାଶନ କାର୍ଡ କଟିଥିଲେ ପୁଣି ଆବେଦନ କରିପାରିବେ। ସରକାର KYC ଲାଗୁ କରୁଛନ୍ତି, ଯାହା ଦ୍ବାରା ଅଯୋଗ୍ୟଙ୍କ ନାଁ କଟିଯିବ ବୋଲି ମନ୍ତ୍ରୀ କହିଛନ୍ତି।

ସେପଟେ ବହୁ ଧନୀ ଲୋକ ରାସନ କାର୍ଡ ହାତେଇଛନ୍ତି । ପୂର୍ବ ସରକାର ସମୟରେ ଡିଲର ସବୁ ଖାଇ ଖୋଳ କରିଦେଇଛନ୍ତି। ଯଦି ବର୍ତ୍ତମାନ ସେମିତି କେହି କରନ୍ତି, ତେବେ କାର୍ଯ୍ୟାନୁଷ୍ଠାନ ହେବ। ଗୋଟିଏ ପରିବାରରେ ବାପା ଓ ପୁଅ ଅଲଗା ରହୁଥିଲେ ଉଭୟଙ୍କୁ ରାସନକାର୍ଡ ମିଳିବ ବୋଲି ଗୃହରେ ମନ୍ତ୍ରୀ କହିଛନ୍ତି ।କେନ୍ଦ୍ର ସରକାରଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟ ପାଇଁ ୩.୨୫ କୋଟି ଲୋକଙ୍କୁ ସାମିଲ କରାଯାଇଛି।

କେନ୍ଦ୍ର ସରକାର ଏହାର କୋଟା ବଢ଼ାଉନାହାନ୍ତି। ଅନ୍ୟପକ୍ଷରେ ବିଜେଡି ସରକାର ଅମଳରେ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରାୟ ୧୦ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ତେବେ ୨୦୨୨ରୁ ନୂତନ ରାଶନ କାର୍ଡ ଇସ୍ୟୁ କରାଯାଉ ନାହିଁ। ବିଜୁ ସ୍ବାସ୍ଥ୍ୟ କାର୍ଡ ହାତେଇବା ପାଇଁ ବହୁ ସଂଖ୍ୟାରେ ରାଶନ କାର୍ଡ ଲାଗି ଆବେଦନ ହେବାରୁ ନୂତନ କାର୍ଡ ଇସ୍ୟୁ ବନ୍ଦ କରାଯାଇଥିଲା।

Comments are closed.