ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସ୍କୁଲ ସ୍ତରରେ ଦକ୍ଷତା ବିକାଶକୁ ପ୍ରୋତ୍ସାହନ ଦେବା ଦିଗରେ ଭାରତ ସରକାର ୫ ହଜାରରୁ ଉର୍ଦ୍ଧ୍ୱ ସ୍କିଲ୍ ହବ୍ ଖୋଲିବା ପାଇଁ ଯାଉଛନ୍ତି ବୋଲି ଶନିବାର ବିଶ୍ୱକର୍ମା ଜୟନ୍ତୀ ଅବସରରେ ନୂଆଦିଲ୍ଲୀ ଠାରେ ଆୟୋଜିତ ଦେଶର ପ୍ରଥମ ‘କୌଶଳ ଦୀକ୍ଷାନ୍ତ ସମାରୋହ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଉଦବୋଧନ ଦେଇଛନ୍ତି ।
କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ପ୍ରଥମ ଦକ୍ଷତା ସମାବର୍ତ୍ତନ ସମାରୋହ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ବିଶ୍ୱକର୍ମାଙ୍କ ଜୟନ୍ତୀ କୌଶଳର ପ୍ରାଣ ପ୍ରତିଷ୍ଠାତାଙ୍କ ଏକ ପର୍ବ । ଏକବିଂଶ ଶତବ୍ଦୀରେ ଭାରତ ଏକ ନୂଆ ଇତିହାସ ରଚିଛି । ଆଜି ପ୍ରଥମ ଥର ପାଇଁ ୯ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ କୌଶଳ ଦୀକ୍ଷାନ୍ତ ସମାରୋହ ଆୟୋଜନ କରାଯାଇଛି । ୪୦ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆମ ସହ ଭର୍ଚ୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇଛନ୍ତି । ସେ ଆହୁରି କହିଛନ୍ତି ଯେ ଏହି ଶତାବ୍ଦୀକୁ ଭାରତର ଶତାବ୍ଦୀ ବନାଇବା ପାଇଁ ଭାରତର ଯୁବ ବର୍ଗଙ୍କୁ ଶିକ୍ଷା ସହ ଦକ୍ଷ କରିବା ଜରୁରୀ । ଏହି ବିଚାର ସହ ଭାରତ ସରକାର ଯୁବକଙ୍କ କୌଶଳ ବିକାଶ ଓ ନୂଆ ଅନୁଷ୍ଠାନର ନିର୍ମାଣକୁ ପ୍ରାଥମିକତା ଦେଉଛି । ଗତ ୭ ଦଶନ୍ଧି ମଧ୍ୟରେ ଦେଶରେ ୧୦ ହଜାର ଆଇଟିଆଇ ଥିଲା । ଆମ ସରକାର ଗତ ୮ ବର୍ଷ ମଧ୍ୟରେ ଦେଶରେ ଆହୁରି ପ୍ରାୟ ୫ ହଜାର ଆଇଟିଆଇ ଅନୁଷ୍ଠାନ ପ୍ରତିଷ୍ଠା କରିସାରିଛନ୍ତି । ଏହାବ୍ୟତିତ ୪ ଲକ୍ଷରୁ ଅଧିକ ନୂଆ ସିଟ୍ ଯୋଡାଯାଇଛି । ଦେଶରେ ନ୍ୟାସନାଲ ସ୍କିଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍, ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍କିଲ୍ସ ଏବଂ ଅନେକ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନ କରାଯାଉଛି । ଏଥିରେ ଅଭିଜ୍ଞତା ଆଧାରିତ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯାଉଛି ଓ ସ୍କୁଲ ଗୁଡ଼ିକରେ ସ୍କିଲ୍ ପାଠ୍ୟକ୍ରମ ମଧ୍ୟ ଆରମ୍ଭ କରାଯାଇଛି ।
ଭାରତ ସରକାର ଆଇଟିଆଇର ଛାତ୍ରଛାତ୍ରୀଙ୍କ ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଦଶମ ପାସ୍ କରି ଆଇଟିଆଇ ପଢ଼ୁଥିବା ଛାତ୍ରଛାତ୍ରୀ ନ୍ୟାସନାଲ ଓପନ ସ୍କୁଲ ମାଧ୍ୟମରେ ସହଜରେ ଦ୍ୱାଦଶ ପାସ ସାର୍ଟିଫିକେଟ୍ ପାଇପାଇରୁଛନ୍ତି । ଏହା ଦ୍ୱାରା ସେମାନେ ସହଜରେ ଆଗକୁ ପଢ଼ି ପାରୁଛନ୍ତି । ଆଗାମୀ ଦିନରେ ଆଇଟିଆଇ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ସେନାରେ ମଧ୍ୟ ନିଯୁକ୍ତି ସୁଯୋଗ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ କଳ୍ପନା ଆଧାରରେ ଆୟୋଜିତ ଦେଶର ପ୍ରଥମ କୌଶଳ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଟେକ୍ନୋଲୋଜି ମାଧ୍ୟମରେ ଜ୍ଞାନର ଦୁନିଆକୁ ସାଧାରଣ ପରିବାର ପାଖରେ ପହଞ୍ଚାଇବା ସହ ଛାତ୍ର ଛାତ୍ରୀଙ୍କୁ ସ୍ୱାବଲମ୍ବୀ ଓ ସ୍ୱାଭିମାନୀ କରିବା ଆମ କର୍ତ୍ତବ୍ୟ । ଦେଶରେ ଖୁବ ଶୀଘ୍ର ୬ ହଜାର ଗ୍ରାମରେ ୫ଜି ନେଟଓ୍ୱାର୍କର ବ୍ୟାପକ ସମ୍ପ୍ରସାରଣ ହେବ । ଶିକ୍ଷା ବିଭାଗ ପାଇଁ ୨୬୦ଟି ଟିଭି ଚ୍ୟାନେଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଅନୁମତି ଦେଇଛନ୍ତି । ଏହା ଶିକ୍ଷା ବିଭାଗ ଅଧୀନରେ ଆସିଯିବ । ପ୍ରି ସ୍କୁଲରୁ ପୋଷ୍ଟ ଗ୍ରାଜ୍ୟୁଏସନ ପର୍ଯ୍ୟନ୍ତ ଟିଭି, ସାଟାଲେଇଟ ଓ ଇଣ୍ଟରନେଟ୍ ମଧ୍ୟରେ ସାଧାରଣ ଲୋକଙ୍କ ଘରେ ଘରେ ମାଗଣାରେ ଶିକ୍ଷା ପହଞ୍ଚାଯାଇପାରିବ ବୋଲି ସେ କହିଛନ୍ତି ।
ଦକ୍ଷତାକୁ ସମ୍ମାନ ଏବଂ ସ୍କିଲ ସେକ୍ଟରକୁ ପ୍ରୋତ୍ସାହନ ଦେବା ଦିଗରେ କୌଶଳ ଦୀକ୍ଷାନ୍ତ ସମାରୋହର ଆୟୋଜନ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦୃଷ୍ଟିର ଅଂଶବିଶେଷ । ଶ୍ରୀ ପ୍ରଧାନ ନିରନ୍ତର ସମର୍ଥନ ଏବଂ ମାର୍ଗଦର୍ଶନ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି ଯେ ରୋଜଗାର ଅନୁସନ୍ଧାନରେ ଥିବା କିଛି ଯୁବବର୍ଗ ଆଜି ଆଗକୁ ବଢ଼ି ଅନ୍ୟ ମାନଙ୍କୁ ରୋଜଗାର ପ୍ରଦାନ କରିବା ପାଇଁ ସକ୍ଷମ ହୋଇଛନ୍ତି । ସାଧାରଣ ପୃଷ୍ଠଭୂମିରୁ ଆସୁଥିବା ଆମର ଲକ୍ଷାଧିକ ଯୁବ ଭାଇ ଭଉଣୀମାନେ କୌଶଳ ବିକାଶ ଦ୍ୱାରା ଉନ୍ନତଧରଣର ଜୀବନ ବଞ୍ଚିବା ସହ ଆତ୍ମନିର୍ଭର ଆଡ଼କୁ ବଢ଼ିବା ପାଇଁ ମାର୍ଗ ଦେଖାଉଛନ୍ତି ।
କୌଶଳ ବିକାଶ ସଶକ୍ତିକରଣର ଏକ ମାଧ୍ୟମ । ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତିରେ କୌଶଳ ବିକାଶକୁ ଗୁରୁତ୍ୱ ଦିଆଯାଇଛି । ଭାରତ ସରକାର ଶିକ୍ଷା ଏବଂ କୌଶଳ ବିକାଶକୁ ଏକତ୍ରିକରଣ ଓ କୌଶଳ ବିକାଶକୁ ଶୈକ୍ଷଣିକ ସମାନତା ପ୍ରଦାନ କରିବା ପାଇଁ ସବୁ ସମ୍ଭାବ୍ୟ ପ୍ରୟାସ କରୁଛନ୍ତି ।
କୌଶଳ ଦୀକ୍ଷାନ୍ତ ସମାରୋହରେ ସ୍କିଲ ସାର୍ଟିଫିକେଟ ପାଇଥିବା ସମସ୍ତ ବିଦ୍ୟାର୍ଥୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ କେନ୍ଦ୍ରମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ଅମୃତ କାଳରେ ଆତ୍ମନିର୍ଭର ଭାରତ ନିର୍ମାଣରେ ଏହି ବିଦ୍ୟାର୍ଥୀ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ସେ କହିଛନ୍ତି । ଏହି କୌଶଳ ଦୀକ୍ଷାନ୍ତ ସମାରୋହ ପ୍ରମାଣିତ କରୁଛି ଯେ କୌଶଳ ବିକାଶ, ସ୍ୱାବଲମ୍ବୀ, ସ୍ୱାଭିମାନ ଓ ସମୃଦ୍ଧି ପଥରେ ଅଗ୍ରସର ହେବା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ପ୍ରତିବର୍ଷ ବିଶ୍ୱକର୍ମା ପୂଜାକୁ କୌଶଳର ଏକ ବଡ଼ ଉତ୍ସବ ଭାବରେ ପାଳନ କରିବା ପାଇଁ ସ୍କିଲ ବିଭାଗକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି ।
କୌଶଳ ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଟିଆଇ, ସର୍ଟ-ଟର୍ମ ଟ୍ରେନିଂ ଏବଂ ଉଦ୍ୟମିତା ବିକାଶ କାର୍ଯ୍ୟକ୍ରମ ଇତ୍ୟାଦି ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ଦିଆଯାଇ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ, ଉଦ୍ୟମିତା ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରମେଶ ସିପ୍ପି ପ୍ରମୁଖ ଉପସ୍ଥିତ ଥିଲେ।