ବଇରୀ ସାଜିଲା ମା: ତିନି ବର୍ଷର ଶିଶୁକୁ ମାଡ଼ ନିର୍ଯ୍ୟାତନା ସହ ଦେଲା ଚେଙ୍କ, ଶିଶୁ ପୁତ୍ରକୁ ଉଦ୍ଧାର କଲା ଶିଶୁ ସୁରକ୍ଷା ୟୁନିଟ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବଇରୀ ସାଜିଲା ମା। ନିଜର ତିନି ବର୍ଷର ଶିଶୁପୁତ୍ରକୁ ମାଡ଼, ନିର୍ଯ୍ୟାତନା ସହ ଦେଲା ଚେଙ୍କ। ଏଭଳି ଅମନବୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଛତିଆ ଅଂଚଳରେ। ଖବର ପାଇ ଶିଶୁ ସୁରକ୍ଷା ୟୁନିଟ ଶିଶୁ ପୁତ୍ରଟିକୁ ଉଦ୍ଧାର କରିଥିବା ବେଳେ ମା ଓ ସମ୍ପର୍କୀୟ ମାମୁଁକୁ ଗିରଫ କରିଛି ପୋଲିସ।
ମାତ୍ର ୩ବର୍ଷର ଶିଶୁ ପୁତ୍ରକୁ ମାଡ଼ ସହ ଦେହ ସାରା ସିଗାରେଟ ଚେଙ୍କ। ଏଭଳି ଅକଥନୀୟ ନିର୍ଯ୍ୟାତନା ଦେଇଛି ଜନ୍ମିତ କଲା ମା’। ଦୁନିଆରେ ଏମିତି ବି ମା ଅଛନ୍ତି ଯିଏ ଜନ୍ମ କଲା ଛୁଆ ପ୍ରତି ନିଷ୍ଠୁରତାର ସବୁ ସୀମା ଅତିକ୍ରମ କରିପାରେ। ଏଭଳି ଅମନବୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଛତିଆ ଅଂଚଳରେ। ସ୍ଥାନୀୟ ଗୋପପୁର ଛକରେ ଘରଭଡା ନେଇ ରହୁଥିବା ମହିଳା ରଶ୍ମି ମହାପାତ୍ର ନିଜ ୩ବର୍ଷର ଶିଶୁ ପୁତ୍ରକୁ ଅମାନୁଷିକ ଭାବେ ମାଡ଼ ମାରିବା ସହ ଦେହ ସାରା ସିଗାରେଟ ଚେଙ୍କ ଦେଇଛନ୍ତି। ଏହି ଘଟଣାରେ ସମ୍ପର୍କୀୟ ଭାଇ ମଧ୍ୟ ଶିଶୁଟି ପ୍ରତି ଅକଥନୀୟ ନିର୍ଯ୍ୟାତନା ଦେଇଛନ୍ତି। ଯନ୍ତ୍ରଣାରେ ଛଟପଟ ହେଉଥିବା ଛୁଆଟିକୁ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଶିଶୁ ସୁରକ୍ଷା ୟୁନିଟ ଉଦ୍ଧାର କରି ନିଜ ହେପାଜତକୁ ନେଇଛି। ମାଡ଼ ଖାଇ ଛୁଆଟି ଏମିତି ଦରମରା ହୋଇଛି ଯେ ଗୋଡ଼ ହାତ ଫୁଲିଯିବା ସହ ଠିକ ସେ ଚାଲି ପାରୁନାହିଁ। ମାଡ଼ ଓ ଦେହରେ ଦାଗ ଦେଖିଲେ ଜଣେ ମା ଏତେ ନିଷ୍ଟୁର ଓ ନିର୍ଦ୍ଧୟ ହୋଇପାରେ ତାହା ବିଶ୍ଵାସ କରିହେବ ନାହିଁ।
ସୂଚନା ମୁତାବକ ବଡ଼ଚଣା ବ୍ଲକ କାଇମାଟିଆ ଅଂଚଳର ରଶ୍ମି ମହାପାତ୍ର ୨୦୧୮ମସିହାରେ ଜଗତସିଂହପୁର ଜିଲ୍ଲା ତାରପୁର ଅଞ୍ଚଳର ଜିତେନ୍ଦ୍ର ବେଗଙ୍କୁ ବିବାହ କରିଥିଲେ। ପୁଅ ଜନ୍ମ ହେବ ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ତିକ୍ତତା ହେବାରୁ ମହିଳା ଜଣକ ଛତିଆ ଗୋପପୁରରେ ସମ୍ପର୍କୀୟ ଭାଇ କମଳାକାନ୍ତ ମହାପାତ୍ରଙ୍କ ସହ ଭଡା ଘରେ ରହୁଥିଲେ। ତେବେ ପିଲାଟିକୁ ପାଠ ପଢ଼ାଇବା ବେଳେ କମଳାକାନ୍ତ ଓ ରଶ୍ମି ମାଡ଼ ମାରିବା ସହ ଅନେକ ଥର ସିଗାରେଟ ଚେଙ୍କ ଦେଇଥିବା ଜଣାପଡ଼ିଛି। ତେବେ ଏକଥା ସ୍ଥାନୀୟ ଲୋକେ ଜାଣିବା ପରେ ଘଟଣା ପଦାକୁ ଆସିଲା। ତେବେ ଶିଶୁ ପୁତ୍ରଟିକୁ ଉଦ୍ଧାର କରାଯିବା ପରେ ତାର ଚିକିତ୍ସା ଚାଲିଛି। ଏପଟେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଭିଯୋଗ ଅନୁଯାୟୀ ଅଭିଯୁକ୍ତ ମା ଓ ସମ୍ପର୍କୀୟ ମାମୁଁକୁ ବୈରୀ ଥାନା ପୋଲିସ ଗିରଫ କରିଛି। କଥାରେ ଅଛି ମା ସ୍ନେହମୟୀ, ମମତାମୟୀ। ନିଜ ସନ୍ତାନ ପାଇଁ ମା ଟିଏ ସଂସାର ସହ ଲଢ଼ିପାରେ। କିନ୍ତୁ ଏହି ଘଟଣା ସମଗ୍ର ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି।