ଆହୁରି ଝଲସିବ ଗୋପାଳପୁର ବନ୍ଦର,  ବିକାଶ ତଥା ବିସ୍ତାର ପାଇଁ ଚୁକ୍ତିନାମା ହେଲା ସ୍ୱାକ୍ଷରିତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ଗୋପାଳପୁର ବନ୍ଦରର ବିକାଶ ଓ ବିସ୍ତାର ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଗୋପାଳପୁର ବନ୍ଦର ଲିମିଟେଡ୍‌ ମଧ୍ୟରେ ଆଜି ସଂଶୋଧିତ ରିହାତି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଖାରବେଳ ଭବନସ୍ଥିତ ବାଣିଜ୍ୟ ଓ ପରିବହନ ବିଭାଗ ସମ୍ମିଳନୀ କକ୍ଷରେ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀଙ୍କ ଉପସ୍ଥିତିରେ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷ ଓ ବାଣିଜ୍ୟ ଓ ପରିବହନ ବିଭାଗ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଗଞ୍ଜାମ ଜିଲ୍ଲାର ଅର୍ଜୀପାଲୀଠାରେ ଅବସ୍ଥିତ ଗୋପାଳପୁର ବନ୍ଦର ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ଦ୍ୱାରା ନିୟନ୍ତ୍ରିତ ଓ ପରିଚାଳିତ ହୋଇ ଆସୁଥିଲା ।

ଏହାକୁ ଏକ ସବୁଦିନିଆ ବନ୍ଦରରେ ବିକଶିତ ଓ ସଂପ୍ରସାରିତ କରିବା ପାଇଁ ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ମାଧ୍ୟମରେ ୨୦୦୬ ମସିହା ସେପେଫମ୍ବର ୧୪ ତାରିଖରେ ସରକାରୀ-ବେସରକାରୀ ଭାଗୀଦାରି(ପିପିପି) ମୋଡ୍‌ରେ ମେସର୍ସ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍‌ (ଓଏସ୍‌ଏଲ୍‌) ଦ୍ୱାରା ପରିଚାଳିତ ବନ୍ଦର ପରିଚାଳନା ସଂସ୍ଥା ତଥା ଗୋପାଳପୁର ପୋର୍ଟ ଲିମିଟେଡ୍‌ ସହିତ ରିହାତି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା, ଯାହାଫଳରେ ଋତୁକାଳୀନ ବନ୍ଦରରୁ ଏକ ସବୁଦିନିଆ ବନ୍ଦରରେ ରୂପାନ୍ତରିତ ହୋଇପାରିଛି ।

ସମୟ କ୍ରମେ ୨୦୧୭ ମସିହା ଜାନୁଆରୀ ୧୮ ତାରିଖରେ ଗୋପାଳପୁର ବନ୍ଦର ପରିଚାଳନା ସଂସ୍ଥାରେ ମେସର୍ସ ଶପୋର୍ଜୀ ପାଲୋଞ୍ଜି ପୋର୍ଟ ମେଣ୍ଟେନାନ୍ସ ପ୍ରା. ଲିଃ. (ଏସ୍‌ପିଏମ୍‌ଏଲ୍‌)ର ଯୋଗଦାନ ଏବଂ ଅଂଶଧନ ପରିବର୍ତ୍ତନ ଯୋଗୁ ଏସ୍‌ପିଏମ୍‌ଏଲ୍‌ ଦ୍ୱାରା ସଂଖ୍ୟାଗରିଷ୍ଠ ଅଂଶଧନ ହାସଲ ଏବଂ ବନ୍ଦର ପରିଚାଳନା କ୍ଷମତା ମେସର୍ସ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍‌ (ଓଏସ୍‌ଏଲ୍‌)ରୁ ମେସର୍ସ ଶପୋର୍ଜୀ ପାଲୋଞ୍ଜି ପୋର୍ଟ ମେଣ୍ଟେନାନ୍ସ ପ୍ରା. ଲିଃ.କୁ ସ୍ଥାନାନ୍ତରିତ ହୋଇଛି । ଏହି ବନ୍ଦର ପରିଚାଳନା କ୍ଷମତା ସ୍ଥାନାନ୍ତରଣ ଯୋଗୁଁ ଗୋପାଳପୁର ବନ୍ଦର ସହ ସଂଶୋଧିତ ରିହାତି ଚୁକ୍ତିନାମା ସ୍ୱାକ୍ଷର କରିବା ଆବଶ୍ୟକ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

ପ୍ରକାଶ ଥାଉ କି, ଏହି ରିହାତି ଚୁକ୍ତିନାମା ସ୍ୱାକ୍ଷର ପାଇଁ ତା. ୦୭/୧୨/୨୦୨୧ରିଖରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍‌ ବୈଠକରେ ଏହା ଅନୁମୋଦନ ଲାଭ କରିଥିଲା ଓ ଆଜି ଅର୍ଥାତ୍‌ ୨୪/୦୫/୨୦୨୨ରେ ଗୋପାଳପୁର ବନ୍ଦରର ବିକାଶ ଓ ବିସ୍ତାର ନିମନ୍ତେ ସଂଶୋଧିତ ରିହାତି ଚୁକ୍ତିନାମା ସ୍ୱାକ୍ଷର କରାଗଲା ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ସଂଜୟ ମିଶ୍ର, ବନ୍ଦର ନିର୍ଦ୍ଦେଶକ ପଦ୍ମଲୋଚନା ରାଉଳ, ଗୋପାଳପୁର ବନ୍ଦର ସି.ଇ.ଓ କ୍ୟାପ୍‌ଟେନ୍‌ ସନ୍ଦୀପ ଅଗ୍ରୱାଲ୍‌, ବନ୍ଦର ଉପଦେଷ୍ଟା ଅରବିନ୍ଦ ପାଣିଗ୍ରାହୀ, କର୍ପୋରେଟ୍‌ ଆଫୟାର୍ସ ଉପସଭାପତି ଡ. ଜଗଦୀଶ ଚନ୍ଦ୍ର ରାଉତ, ପରିଚାଳକ ରତିରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.