ଦାରୁଠେଙ୍ଗ ଡମ୍ପିୟାର୍ଡକୁ ଯାଇପାରୁନି ଅଳିଆ: ମେୟରଙ୍କୁ ଚିଠି ଲେଖି ମହଲତ ସାଂସଦ ଅପରାଜିତା ଷଡଙ୍ଗୀ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱରରେ ପରିମଳ ବ୍ୟବସ୍ଥାର ଏହି ଭୟଙ୍କର ସଙ୍କଟ ବେଳେ ସ୍ଥାନୀୟ ଲୋକପ୍ରତିନିଧିଙ୍କ ନିରବତାକୁ ସବୁଆଡୁ ସମାଲୋଚନା ହୋଇଥିଲା । ସହରର ତିନି ବିଧାୟକଙ୍କ ସହ ସାଂସଦଙ୍କ ରହସ୍ୟମୟ ନିରବତା ନେଇ ପ୍ରଶ୍ନ ଉଠିଥିଲା । ଶୁକ୍ରବାର ଦିନ ବିଏମସି ଅଫିସ୍ ଆଗରେ ଜିଲ୍ଲା ବିଜେପି ପକ୍ଷରୁ ସମସ୍ୟାର ସମାଧାନ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲେ ମଧ୍ୟ ଦଳର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଦେଖିବାକୁ ମିଳିଲା ନାହିଁ । ତେବେ ସଙ୍କଟର ୨୦ ଦିନ ପରେ ଆଜି ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ସାଂସଦ ମ୍ୟାଡାମ୍ । କିନ୍ତୁ ସମସ୍ୟା ସମାଧାନର କଥା କିଛି କହିନାହାନ୍ତି । ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ରାଜନୀତି ବୟାନବାଜି ବେଶୀ କରିଛନ୍ତି । ମେୟରଙ୍କୁ ଚିଠି ଲେଖି ମହଲତ ବି ଦେଇଛନ୍ତି ।

ମେୟର ସୁଲୋଚନା ଦାସଙ୍କୁ ଚିଠିରେ ଲେଖିଛନ୍ତି, ୧୫ ଦିନ ବିତିଗଲାଣି ମାତ୍ର ଭୁବନେଶ୍ୱର ସ୍ୱଚ୍ଛତାରେ କୋ÷ଣସି ଉନ୍ନତି ହୋଇନାହିଁ । ମହାନଗରର ସବୁଆଡ଼େ ଗଦା ଗଦା ଅଳିଆ ପଡ଼ିଛି । ସେଥିଯୋଗୁଁ ଲୋକମାନେ ଅସୁବିଧାରେ ଅଛନ୍ତି । ଆସନ୍ତା ୩/୪ ଦିନରେ ସମସ୍ୟାର ସମାଧାନ ହେବା ଆଶା କରୁଛି । ସମସ୍ୟା ସମାଧାନ ନହେଲେ ସେପ୍ଟେମ୍ବର ୨ ରେ ଆପଣଙ୍କୁ ଭେଟିବି । ଏହି ଚିଠିରେ ସହଯୋଗଠାରୁ ଆକ୍ଷେପ ଏବଂ ଅହଂକାର ଅଧିକ ରହିଥିବା ବାରି ହୋଇଯାଉଛି ।

ରୋଚକ କଥା ହେଉଛି, ଭୁବନେଶ୍ୱରର ଏତେବଡ଼ ସମସ୍ୟାକୁ ଜିଲ୍ଲା ବିଜେପି ପ୍ରସଙ୍ଗ କରି ଆନେ୍ଦାଳନ ଆରମ୍ଭ କରିଥିଲେ ମଧ୍ୟ ସାଂସଦ ଚିରାଚରିତ ଢ଼ଙ୍ଗରେ ଦଳୀୟ ଫୋରମ୍ କୁ ପସନ୍ଦ କରିନାହାନ୍ତି । ବିଜେପି ଆନେ୍ଦାଳନର ଦିନକ ପରେ ଆଜି ନିଜ ଅଫିସ୍ କୁ କିଛି ଟିଭି ଚ୍ୟାନେଲ୍ ସାମ୍ବାଦିକଙ୍କୁ ଡାକି ୱାନ୍ ଟୁ ୱାନ୍ ସାକ୍ଷାତକାର ଦେଇଛନ୍ତି । ସେଥିରେ ଭୁବନେଶ୍ୱର ପରିମଳ ସମସ୍ୟା ସମାଧାନଠାରୁ ନିଜର ଆତ୍ମବଢ଼ିମା ଏବଂ ପ୍ରଚାରକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଏମିତିକି ମେୟର, କମିସନରଙ୍କୁ ଫିଲ୍ଡ ସୁପରିଭିଜନ୍ ଟିପ୍ସ ଦେଇଛନ୍ତି । ଭୁବନେଶ୍ୱରରୁ ଏତେ ଦିନ ଅଳିଆ ଉଠି ନ ପାରି ସହରରେ ପୁତିଗନ୍ଧମୟ ଅବସ୍ଥା ସୃଷ୍ଟି ହୋଇଥିଲା ବେଳେ ସେ କାହିଁକି ଚୁପ୍ ବସିଥିଲେ ବୋଲି ଏକ ପ୍ରଶ୍ନକୁ ସାଂସଦ ଚତୁରତାର ସହ ଏଡ଼ାଇ ଦେଇଛନ୍ତି । ୨୦ ଦିନ ତଳେ ସେ କମିସନରଙ୍କ ସହ କଥା ହୋଇଥିବା କହି ବାଆଁରେଇଛନ୍ତି ।

ସୂଚନାଥାଉକି, ୨୦୦୮ ମସିହାରେ ଅପରାଜିତା ଷଡ଼ଙ୍ଗୀ ବିଏମସି କମିସନର ଥିଲା ବେଳେ ଦାରୁଠେଙ୍ଗକୁ ଡମ୍ପିୟାର୍ଡ କରିବାକୁ ନିଷ୍ପତ୍ତି ହୋଇଥିଲା । ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ତାହାକୁ କାର୍ଯ୍ୟକାରୀ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହାକୁ ବିରୋଧ ଜାରି ରହିଥିଲେ ମଧ୍ୟ ବିଏମସି ପ୍ରଶାସନ ବିକଳ୍ପ ଖୋଜିବାରେ ଫେଲ୍ ହୋଇଛନ୍ତି । ଏବେ ବିଏମସି କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତିକୁ ସ୍ଥାନୀୟ ଅଞ୍ଚଳବାସୀ ଆଉ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି । ଇତିମଧ୍ୟରେ ଅଞ୍ଚଳବାସୀଙ୍କ ସହ ତିନି ଥର ଆଲୋଚନା ହୋଇସାରଥିଲେ ମଧ୍ୟ ସମାଧାନର ବାଟ ବାହାର କରିବାରେ ବିଏମସି ପ୍ରଶାସନ ସମର୍ଥ ହୋଇନାହାନ୍ତି ।

Leave A Reply

Your email address will not be published.