ଚିର ନିଦ୍ରାରେ ବିଶିଷ୍ଟ ସଂଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କର, ବିଭିନ୍ନ ମହଲରେ ଶୋକର ଛାୟା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ସ୍ବର୍ଗର ପାରିଜାତ ବନକୁ ଫେରିଗଲେ କମଳ ଦେଶ ରାଜକୁମାର। ଗୋଟିଏ ଯୁଗର ଘଟିଛି ଅବସାନ। ଚିର ନିଦ୍ରାରେ ସଂଗୀତ ଜଗତର ବାଦସାହା ପ୍ରଫୁଲ୍ଲ କର। ବାର୍ଦ୍ଧକ୍ୟ ଜନିତ ରୋଗରେ ଦିର୍ଘ ଦିନ ହେବ ପୀଡିତ ଥିଲେ ପ୍ରଫୁଲ୍ଲ କର। ୮୩ ବର୍ଷ ବୟସରେ ସତ୍ୟନଗର ସ୍ଥିତ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପଦ୍ମଶ୍ରୀ ପ୍ରଫୁଲ୍ଲ କର। ଆସନ୍ତା କାଲି ପୁରୀ ସ୍ୱର୍ଗ ଦ୍ୱାରରେ ତାଙ୍କର ଶେଷ କୃତ୍ୟ ହେବ ବୋଲି ସୂଚନା ମିଳିଛି ।

ପ୍ରଫୁଲ୍ଲ କର (୧୯୩୯)
ଜନ୍ମସ୍ଥାନ: ପୁରୀ । ଓଡ଼ିଶାର ସଂଗୀତ ଆକାଶର ଉଜ୍ୱଳତମ ତାରକା ଏବଂ ଏକାଧାରରେ ଗାୟକ, ଗୀତିକାର, ଲେଖକ ଓ ସଙ୍ଗୀତକାର । ବଡବାପା ବିଶିଷ୍ଟ ତବଲା ବାଦକ କ୍ଷେତ୍ରମୋହନ କରଙ୍କ ପ୍ରେରଣା ପ୍ରାପ୍ତି ସହିତ ମାର୍କଣ୍ଡେୟ ମହାପାତ୍ର, କୁଣ୍ଡଳା ଆଦିନାରାୟଣ ରାଓ, ଜେ. ଭି.ଏସ ରାଓଙ୍କ ପାଖରୁ ହିନ୍ଦୁସ୍ତାନୀ ଓ କର୍ଣ୍ଣାଟକୀ ଏବଂ ସିଂହାରୀ ଶ୍ୟାମ ସୁନ୍ଦର କର, ପଣ୍ଡିତ ଲୋକନାଥ ରଥଙ୍କ ପାଖରୁ ଓଡିଶୀ ଶାସ୍ତ୍ରୀୟ ସଂଗୀତ ଶିକ୍ଷା କରିଥିିଲେ । ୧୯୬୦ ମସିହାରୁ ସେ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ ଗାୟକ, ପରେ ଆକାଶବାଣୀର ସ୍ୱର ସଂଯୋଜକ ଓ ସ୍ୱୀକୃତିପ୍ରାପ୍ତ ଗୀତିକାର ମାନ୍ୟତା ପାଇଥିଲେ । ୧୯୭୦ରୁ ସେ ଏଚଏମ୍‌ଭିର ପଞ୍ଜିକୃତ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଏବଂ ତାଙ୍କର ସଂଖ୍ୟାଧିକ ଗ୍ରାମୋଫୋନ୍ ରେକର୍ଡ ପ୍ରକାଶିତ ଓ ପ୍ରସାରିତ ହୋଇଛି । ଏପର୍ଯ୍ୟନ୍ତ ଚାଳିଶଟି ଓଡ଼ିଆ ଚଳଚ୍ଚିତ୍ର ଓ ୪ଟି ବଙ୍ଗଳା ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି, ୧୯୭୫ରେ ମୁକ୍ତିପ୍ରାପ୍ତ ‘ମମତା’ରୁ ଚଳଚ୍ଚିତ୍ର ସଙ୍ଗୀତ ସହ ସଂପୃକ୍ତ । ପୂର୍ବରୁ ୧୯୬୨ରେ ମୁକ୍ତିପ୍ରାପ୍ତ ‘ଶ୍ରୀଶ୍ରୀ ପତିତପାବନ’ ଚଳଚ୍ଚିତ୍ର ପାଇଁ ସେ ପ୍ରଥମେ କଣ୍ଠଦାନ କରିଥିଲେ । ବିଭିନ୍ନ ଶ୍ରାବ୍ୟମାଧ୍ୟମ ପାଇଁ ଓଡ଼ିଆ ଭାଗବତ, ଓଡିଆ ଛାନ୍ଦ, ଗୀତଗୋବିନ୍ଦ, ଭଜନ, ଜଣାଣ ଓ ଓଡ଼ିଶୀ ସଂଗୀତର ନିର୍ଦ୍ଦେଶନା ଓ ପ୍ରସ୍ତୁତି ପାଇଁ ସେ ବିଶେଷ ଖ୍ୟାତି ଅର୍ଜନ କରିଛନ୍ତି । ପ୍ରକାଶିତ ଗ୍ରନ୍ଥ: ‘ସାଉଁଟା କାହାଣୀ’, ‘ଯାହା କହୁଛି ସତ କହୁଛି’, ଗୀତିଗ୍ରନ୍ଥ: ‘ଆଜ୍ଞାମାଳ’ ଓ ‘କୃପାଜଳ’ । ୨୦୦୬ ରେ ‘କୃପାଜଳ’ ଗୀତିଗ୍ରନ୍ଥ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ୨୦୦୪ରେ ଓଡ଼ିଶା ସରକାରଙ୍କ ପ୍ରଦତ୍ତ ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ‘ଜୟଦେବ ପୁରସ୍କାର’ ପ୍ରାପକ ଏବଂ ୨୦୧୫ରେ ଭାରତ ସରକାରଙ୍କ ‘ପଦ୍ମଶ୍ରୀ’ ଉପାଧିପ୍ରାପ୍ତ ହୋଇଥିଲେ।

Leave A Reply

Your email address will not be published.