ଓଡିଆ ନ୍ୟୁଜ୍(ବ୍ୟୁରୋ): ବଦଳିବ ନନ୍ଦନକାନନର ରୂପରେଖ । ଦେଶର ସର୍ବ ବୃହତ ସବୁଜିମା ଚିଡ଼ିଆଖାନାର ବଢିବ ପରିସର । ୪୩୧ ହେକ୍ଟରରୁ ବଢି ୧୦୪୭ ହେକ୍ଟରରେ ପହଞ୍ଚିବ। ଏବେ ଚିଡ଼ିଆଖାନା, କାଞ୍ଜିଆ ହ୍ରଦ ଏବଂ ବୋଟାନିକାଲ ଗାର୍ଡ଼େନ ଏହାର ପରିସରରେ ଯାଉଥିବା ବେଳେ ପରିବର୍ତ୍ତିତ ଯୋଜନାରେ ଚନ୍ଦକା ଜଙ୍ଗଲ, ଚୁଡ଼ଙ୍ଗ ଓ କୃଷ୍ଣନଗରର ସଂରକ୍ଷିତ ଅଞ୍ଚଳ ବି ସାମିଲ ହେବ। ନୂଆ ମାଷ୍ଟରପ୍ଲାନକୁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୁପକ୍ଷ ଅନୁମୋଦନ ଦେଇଛନ୍ତି।
ନୂଆ ଯୋଜନା କାର୍ଯ୍ଯକାରୀ ହେଲେ ବର୍ଷକୁ ୩୫ଲକ୍ଷ ପର୍ଯ୍ଯଟକ ଆସିବାର ଅନୁମାନ କରାଯାଉଛି । ଯାହାକୁ ସ୍ବାଗତ କରିଛନ୍ତି ପରିବେଶବିତ। ଏବେ ଦେଶର ସର୍ବ ବୃହତ ସୁବଜିମା ଚିଡ଼ିଆଖାନାକୁ ଆସିବେ ଅଧିକ ଜୀବଜନ୍ତୁ। ରାଜଧାନୀର ଉପକଣ୍ଠରେ ଥିବା ଚିଡ଼ିଆଖାନାର ପରିସର ବି ଦୁଇଗୁଣାରୁ ଅଧିକ ହେବା ନେଇ ଲକ୍ଷ୍ୟ । ଚନ୍ଦକା ବନ୍ୟଜନ୍ତୁ ଅଭୟାରଣ୍ୟରୁ ସୃଷ୍ଟି ହୋଇଥିବା ନନ୍ଦନକାନନରେ ଏବେ ପୁଣି ଥରେ ସାମିଲ ହେବ ଚନ୍ଦକା। ଏହାସହ ସଂରକ୍ଷିତ ଅଞ୍ଚଳ ଭାବେ ଜଣାଶୁଣା ଚୁଡ଼ଙ୍ଗ ଓ କୃଷ୍ଣନଗର ବି ଏଥିରେ ସାମିଲ ହେବ । ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ୬୦୦କୋଟି ଟଙ୍କା । ବନ ବିଭାଗ ଏବଂ ଚିଡ଼ିଆଖାନା କର୍ତ୍ତୁପକ୍ଷଙ୍କ ମାଷ୍ଟରପ୍ଲାନକୁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୁପକ୍ଷ ଅନୁମୋଦନ ଦେଇଛନ୍ତି ।