ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ତାମିଲନାଡୁରେ ଝଡ଼ ପରେ ପୁଣି ପ୍ରବଳ ବର୍ଷା ହେଉଛି। ଗତ 30 ଘଣ୍ଟା ଧରି ଅନେକ ଜିଲ୍ଲାରେ ଲଗାତାର ବର୍ଷା ହୋଇଛି। ଏହି କାରଣରୁ ବନ୍ୟା ଜଳ ଆବାସିକ ଅଞ୍ଚଳରେ ପ୍ରବେଶ କରିଛି। ଅନେକ ଘର ଜଳମଗ୍ନ ହୋଇଛି।
ଏଥିସହ ବନ୍ୟାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାରେ ବିପର୍ଯ୍ୟୟ ଉଦ୍ଧାରକାରୀ ଦଳ ସକ୍ରିୟ ଅଛନ୍ତି। ଭାରତୀୟ ପାଣିପାଗ କେନ୍ଦ୍ରର ରିପୋର୍ଟ ମୁତାବକ, ତାମିଲନାଡ଼ୁରେ ଗତ ୧୫ ଘଣ୍ଟାରେ ୨ଫୁଟ୍ ବର୍ଷା ହୋଇଛି । କେବଳ ଥୁଟୁକୁଡି ଜିଲ୍ଲାରେ ରବିବାର ୫୨୫ ମିମି. ବର୍ଷା ହୋଇଛି । ଫଳରେ ଥୁଟୁକୁଡିରେ ବନ୍ୟା ପରିସ୍ଥିତି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ପାଣିପାଗ ବିଭାଗର ସଦ୍ୟ ସୂଚନା, ବନ୍ୟା ପୀଡିତଙ୍କ ଚିନ୍ତା ବଢ଼ାଇ ଦେଇଛି । ସେପଟେ ବ୍ୟାନ ଅଞ୍ଚଳରେ ବାୟୁସେନା ହେଲିକପ୍ଟରରୁ ଶୁଖିଲା ଖାଦ୍ୟ ପ୍ୟାକେଟ୍ ଏବଂ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପକାଯାଉଛି ।
ଅନ୍ୟପଟେ ବନ୍ୟା ପୀଡ଼ତଙ୍କୁ ଭାରତୀୟ ବାୟୁସେନାର ଯବାନମାନେ ଉଦ୍ଧାର କରୁଛନ୍ତି । ଥୁଟୁକୁଡି ଜିଲ୍ଲାରେ ୫୭ଜଣ ମହିଳା, ୩୯ ପୁରୁଷ ଏବଂ ୧୫ଜଣ ଛୋଟ ପିଲାଙ୍କୁ ରେସକ୍ୟୁ କରିଛନ୍ତି ଉଦ୍ଧାକାରୀ ଦଳ । ପ୍ରବଳ ବର୍ଷାରେ ରାସ୍ତାଘାଟ ଜଳମଗ୍ନ ହୋଇଥିବାରୁ ନାହିଁ ନଥିବା ପରିସ୍ଥିତି ଭୋଗୁଛନ୍ତି ଲୋକେ । ବନ୍ୟା ପାଇଁ କିଛି ଅଞ୍ଚଳରେ ଲୋକ ଫସିରହିଛନ୍ତି । ସେମାନଙ୍କୁ NDRF, SDRF, ଭାରତୀୟ ସେନା, ବାୟୁସେନା ଏବଂ ତଟରକ୍ଷୀ ବାହିନୀ ଯବାନମାନେ ଉଦ୍ଧାର କରୁଛନ୍ତି । କିଛି ଲୋକଙ୍କୁ ଏୟାର ଲିଫ୍ଟ କରାଯାଉଛି ।