ଓଡ଼ିଆ ନ୍ୟୁଜ, ଭୁବନେଶ୍ବର: ଆଜି ଭାରତୀୟ ରାଜନୀତିର ବଳିଷ୍ଠ ବ୍ୟକ୍ତିତ୍ୱ ତଥା ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଆଜି ୭୮ ବର୍ଷରେ ପାଦ ଥାପିଛନ୍ତି ବିଶିଷ୍ଟ ରାଜନେତା ନବୀନ ପଟ୍ଟନାୟକ। ଏଥର କିନ୍ତୁ ନବୀନ ଜନ୍ମଦିନ ପାଳିବେନି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଛି ସୂଚନା । କାରଣରେ କୁହାଯାଇଛି ଯେ ଗତ ମାସ ମୁଖ୍ୟମନ୍ତ୍ରୀଙ୍କ ବଡ଼ଭଉଣୀ ଗୀତା ମେହେଟାଙ୍କ ବିୟୋଗ ଘଟିଛି। ଏଣୁ ଶୁଭେଚ୍ଛୁମାନେ ନବୀନ ନିବାସ ନଆସିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।
ଅନ୍ୟପଟେ ନବୀନଙ୍କ ଜନ୍ମଦିନ ଉପଲକ୍ଷେ ବିଜେଡିର ବିଧାୟକମାନେ ସେମାନଙ୍କ ନିର୍ବାଚନ ମଣ୍ଡଳୀସ୍ତରରେ ଜୀବନବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରିବାକୁ ଯୋଜନା କରିଛନ୍ତି। ସାରା ରାଜ୍ୟରେ ରକ୍ତଦାନ ଶିବିର ଆୟୋଜନ କରିବାକୁ ଦଳୀୟ ନେତାମାନଙ୍କୁ କୁହାଯାଇଥିବା ଜଣାପଡ଼ିଛି। ୧୯୯୭ରେ ବିଜୁ ପଟ୍ଟନାୟକଙ୍କ ପୁଅ ଭାବେ ରାଜନୀତିରେ ପାଦ ଦେବା ଦିନଠାରୁ ସବୁ କ୍ଷେତ୍ରରେ ସଫଳତା ସାଉଁଟି ଚାଲିଛନ୍ତି ନବୀନ। ୨୦୦୦ ମସିହା ପର୍ଯ୍ୟନ୍ତ ଜାତୀୟ ରାଜନୀତିରେ ବେଶ୍ ସକ୍ରିୟ ଥିଲେ। ଆଉ ଏହା ପରଠାରୁ ଲଗାତାର ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି। ଓଡ଼ିଶାର ଅନ୍ୟ କୌଣସି ରାଜନେତାଙ୍କ ଭାଗ୍ୟରେ ଏହା ଜୁଟିନାହିଁ। କେବଳ ସେତିକି ନୁହେଁ, ଏହି ସମୟ ମଧ୍ୟରେ ଓଡ଼ିଶାରେ ଯେଉଁ କିଛି ଉଲ୍ଲେଖନୀୟ କଥା ଘଟିଛି ତାହା ମଧ୍ୟରେ ଅନାହାରରୁ ମୁକ୍ତି ଗୋଟିଏ ବଡ଼ ଉପଲବ୍ଧି। ଏହି କଳଙ୍କର ଟିପାକୁ ନବୀନ ସରକାର ପୋଛିବାରେ ସକ୍ଷମ ହୋଇଛନ୍ତି। ଏହା ସହିତ ଓଡ଼ିଶା ଏବେ ଖାଦ୍ୟ ଉତ୍ପାଦନରେ ଗୋଟିଏ ବଳକା ରାଜ୍ୟ ଭାବେ ସାମ୍ନାକୁ ଆସିଛି।
ସୂଚନା ଥାଉକି ପ୍ରସିଦ୍ଧ ଲେଖିକା ତଥା ବିଜୁ ପଟ୍ଟନାୟକଙ୍କ କନ୍ୟା ଗୀତା ମେହେଟ୍ଟାଙ୍କର ଚଳିତବର୍ଷ ସେପ୍ଟେ୍ମ୍ବର ୧୭ ତାରିଖରେ ୮୦ ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ଦିଲ୍ଲୀରେ ପହଂଚି ତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।