ଓଡ଼ିଆ ନ୍ୟୁଜ୍: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଦୋହରାଇଲେ ବିରୋଧୀ ଦଳ ନେତା। ମନ୍ତ୍ରୀ ଇସ୍ତଫା ନଦେବା ଯାଏଁ ପ୍ରତିବାଦ ଜାରି ରହିବ କହିଲେ ନବୀନ। ଏତେ ବଡ଼ ଘଟଣା ପରେ ବି କୌଣସି କେନ୍ଦ୍ରମନ୍ତ୍ରୀ ନଆସିବା ଦୁଃଖର କଥା। ସେ କହିଛନ୍ତି ଯେ, SCB ମେଡିକାଲ ପୋଡ଼ି ଘଟଣାକୁ ନେଇ ୯ ଦିନ ବିତିସାରିଲାଣି । ତଥାପି କୌଣସି ବି କେନ୍ଦ୍ର ମନ୍ତ୍ରୀ ମେଡିକାଲ ପରିଦର୍ଶନ କରିନାହାନ୍ତି । କିନ୍ତୁ ଯେତେବେଳେ ଗୋଟିଏ ଘରୋଇ ହସ୍ପିଟାଲରେ ନିଆଁ ଲାଗିଥିଲା ସେତେବେଳେ ଅନେକ କେନ୍ଦ୍ର ମନ୍ତ୍ରୀ ଆସିଥିଲେ । ଏବେ କାହିଁକି ଆସୁନାହାନ୍ତି । ଯାହା ପୁରା ଆଶ୍ଚର୍ଯ୍ୟଜନକ । ମୁଁ ଆଉ ଥରେ କହୁଛ ଯେ, ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ଏହି ଘଟଣାରେ ଇସ୍ତଫା ଦିଅନ୍ତୁ । ନଚେତ ଆଗାମୀ ଦିନରେ ଆନ୍ଦୋଳନ ହେବ । ବିଜେଡି ଜୋରଦାର ପ୍ରତିବାଦ କରିବ।
ସୂଚନାଯୋଗ୍ୟ ଯେ, ଗତ ୧୬ ତାରିଖ ଦିନ କଟକ ଏସ୍ସିବି ମେଡିକାଲରେ ନିଆଁ ଲାଗିଥିଲା । ଯେଉଁଥିରେ ପ୍ରାଥମିକ ପର୍ଯ୍ୟାୟରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ଜାହିର କରିବା ସହ କ୍ଷତିପୂରଣ ଘୋଷଣା କରିଥିଲେ । ଏହାସହିତ ଆହତଙ୍କୁ ଉତ୍ତମ ଚିକିତ୍ସା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ରାଜ୍ୟପାଳ ମଧ୍ୟ ଘଟଣାରେ ଶୋକ ଜାହିର କରିଥିଲେ । କିନ୍ତୁ ଏପଟେ ରାଜ୍ୟ ରାଜନୀତିରେ ଚାଲିଥିଲା ଆରୋପ ଏବଂ ପ୍ରତ୍ୟୋରପର ଲଢେଇ । ବିଧାନସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିରୋଧୀ । ପ୍ରତି ଦିନ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ର ବିରୋଧୀ ଏହି ପ୍ରସଙ୍ଗ ନେଇ ହୋହାଲ୍ଲା କରୁଛନ୍ତି ।