ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମହିଳାଙ୍କୁ ଗଳାକାଟି ହତ୍ୟା ଘଟଣାର ଫର୍ଦାଫାସ କରିଛନ୍ତି ନୟାଗଡ ଏସପି | ରଣପୁର ଥାନା କୋଟଣିଶିଳା ଗାଁରେ ମହିଳାଙ୍କ ବେକ କାଟି ବିଭତ୍ସ ହତ୍ଯା ଘଟଣାରେ ମୂଖ୍ଯଅଭିଯୁକ୍ତକୁ ଗିରଫ କରିଛି ରଣପୁର ପୋଲିସ । ଅଭିଯୁକ୍ତ ହେଲେ ମୃତ ମହିଳାଙ୍କ ଜ୍ବାଇଁ ଶରତ ସ୍ବାଇଁ । ଆଜି ରଣପୁର ଥାନାରେ ଏକ ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି ନୟାଗଡ ଏସପି ରାହୁଲ୍ ଜୈନ୍ । ରଣପୁର ଥାନା କୋଟଣିଶିଳା ଗାଁରେ ଗତ ରବିବାର ରାତିରେ ନମିତାରାଣୀ ବେହୁରାଙ୍କୁ ବେକ କାଟି ହତ୍ଯା କରାଯାଇଥିଲା ।
ମୃତ ମହିଳାଙ୍କ ସ୍ବାମୀ ଶରତ ଚନ୍ଦ୍ର ବେହୁରା ନୁଆପଡାରେ ସିଆରପିଏଫରେ କାର୍ଯ୍ଯ କରନ୍ତି । ନମିତାଙ୍କ ଦୁଇ ଝିଅ ବାହା ହୋଇଥିବାବେଳେ ପୁଅ ବାହାରେ ରୁହନ୍ତି । ନମିତା ଘରେ ଏକୁଟିଆ ରହୁଥିବାରୁ ଏହାର ସୁଯୋଗ ନେଇ ରାତିରେ ତାଙ୍କର ଗଳା କାଟି ହତ୍ଯା କରାଯାଇଥିଲା । ସୋମବାର ସକାଳେ ଘରର କବାଟ ଖୋଲାଥିବା ଏବଂ ନମିତାଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖି ସାନ ଜ୍ବାଇଁ ଶରତ ଏ ସମ୍ପର୍କରେ ଶ୍ବଶୁରଙ୍କୁ ଖବର ଦେଇଥିଲେ । ଶରତ ବେହୁରାଙ୍କ ଠାରୁ ଖବର ପାଇ ରଣପୁର ଥାନାଅଧିକାରୀ ଏବଂ ଶରଣକୂଳ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।
ସାଇଣ୍ଟିଫିକ ଟିମ୍ ମଧ୍ଯ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲା । ମହିଳାଙ୍କ ସାନ ଜ୍ୱାଇଁ ଶରତକୁ ସନ୍ଦେହରେ ପୋଲିସ ଅଟକ ରଖିଥିଲା । ଜ୍ବାଇଁ ଶରତ ଶାଶୁଙ୍କୁ ହତ୍ଯା କରିଥିବା ସ୍ପଷ୍ଟ ହେବା ପରେ ପୋଲିସ ଶରତକୁ ଗିରଫ କରିବା ସହ ହତ୍ଯାକାଣ୍ଡରେ ବ୍ଯବହୃତ ଛୁରି ଜବତ କରିଛି ପୋଲିସ । ଶରତଙ୍କ ସ୍ତ୍ରୀ ଗତ କିଛି ଦିନ ହେଲା କେଉଁଆଡ଼େ ପଳାଇଯାଇଥିବାରୁ ଏବଂ ଏଥିରେ ଶାଶୁଙ୍କ ସମ୍ପୃକ୍ତି ରହିଥିବା ସନ୍ଦେହ କରି ଶରତ ଏହି କାଣ୍ଡ କରିଥିବା ପୋଲିସ କହିଛି । ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଏସପି କହିଛନ୍ତି ।
Comments are closed.