ଓ୍ବେବସାଇଟରେ ପ୍ରକାଶ ପାଇଲା ନିଟ୍‌-ୟୁଜି ଫଳାଫଳ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପ୍ରକାଶ ପାଇଲା ନିଟ୍ ୟୁଜି ରେଜଲ୍ଟ । ସୁପ୍ରିମକୋର୍ଟଙ୍କ ଆଦେଶ କ୍ରମେ ଏନଟିଏ ପକ୍ଷରୁ ଛାତ୍ରଛାତ୍ରୀଙ୍କ ସେଣ୍ଟର ଓ ସିଟ୍ କ୍ରମରେ ନିଟ୍ ୟୁଜି ରେଜଲ୍ଟ ପ୍ରକାଶ ପାଇଛି । ଏନଟିଏ ଓ୍ବେବସାଇଟରେ ସମସ୍ତ ପରୀକ୍ଷାର୍ଥୀଙ୍କ ମାର୍କ ଅପଲୋଡ କରାଯାଇଛି। ସର୍ବୋଚ୍ଚ ଅଦାଲତଙ୍କ ନିର୍ଦେଶ ଅନୁଯାୟୀ ସହରଓ୍ବାରୀ ଏବଂ  କେନ୍ଦ୍ରଓ୍ବାରୀ ତଥ୍ୟ ଉପଲବ୍ଧ କରାଯାଇଛି। ଏହା ସହିତ ପରୀକ୍ଷାର୍ଥୀମାନଙ୍କ ପରିଚୟ ଗୋପନୀୟ ରଖାଯାଇଛି।

ନିଟ୍‌-ୟୁଜି ମାମଲାରେ ସୁପ୍ରିମକୋର୍ଟରେ ଆଗତ ଏକାଧିକ ପିଟିସନର ଶୁଣାଣି କରି ଗତ ୧୮ ତାରିଖରେ ସହରଓ୍ବାରୀ ଏବଂ କେନ୍ଦ୍ରଓ୍ବାରୀ ଫଳାଫଳ ପ୍ରକାଶ କରିବାକୁ ଏନଟିଏକୁ ନିର୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ। ଏନଟିଏ ଓ୍ବେବସାଇଟରେ ଫଳ ପ୍ରକାଶ କରିବାକୁ ନିର୍ଦେଶ ଦେବା ଲାଗି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ଜୁନ ୪ରେ ସର୍ବଭାରତୀୟ ସ୍ତରରେ ନିଟ ରେଜଲ୍ଟ ପ୍ରକାଶ ପାଇଥିଲା। କିନ୍ତୁ ଏବେ ସହରୱାରୀ ଓ ପରୀକ୍ଷାକେନ୍ଦ୍ରୱାରୀ ରେଜଲ୍ଟ ପ୍ରକାଶ ପାଇଛି। ଏହାଦ୍ୱାରା ଯଦି ବହୁମାତ୍ରାରେ ଅନିୟମିତତା ହୋଇଥିବା ଜଣାପଡ଼ିବ ତେବେ ପୁଣି ଥରେ ପରୀକ୍ଷା ହେବ ବୋଲି ସୁପ୍ରିମକୋର୍ଟ କହିଥିଲେ।

ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଡିୱାଇ ଚନ୍ଦଚୂଡ଼, ଜଷ୍ଟିଦ ଜେବି ପାରଦିୱାଲା ଓ ଜଷ୍ଟିସ୍‌ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଟିମ୍‌ ଏହି ମାମଲାର ଶୁଣାଣି କରି କହିଥିଲେ ଯେ, ରେଜଲ୍ଟ ପ୍ରକାଶ ପାଇବା ସମୟରେ ପରିକ୍ଷାର୍ଥୀଙ୍କ ଗୋପନୀୟତାକୁ ପ୍ରାଥମିକତା ଦିଆଯିବ । କୌଣସି ବି ପରିକ୍ଷାର୍ଥୀଙ୍କ ପରିଚୟ ପ୍ରକାଶ ନ କରି ସହରୱାରୀ ଓ ପରୀକ୍ଷାକେନ୍ଦ୍ରୱାରୀ ଏହାକୁ ଘୋଷଣା କରାଯିବ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୨ ତାରିଖରେ ହେବ । ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜି ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗର ତଦନ୍ତ ଏବେ ସିବିଆଇ କରୁଛି। ସିବିଆଇ ତଦନ୍ତ ଦାୟିତ୍ୱ ପାଇବା ପରେ ଏଫଆଇଆର ରୁଜୁ କରି  ୬୦ ଜଣଙ୍କୁ ଗିରଫ କରିସାରିଲାଣି।

Comments are closed.