ପୂର୍ବରୁ ସରକାରୀ କୋଠାରେ ଚାଲିଆସୁଥିବା ବିଜେଡିର ପାର୍ଟି ଅଫିସ ବର୍ତ୍ତମାନ ବଦଳିବାକୁ ଯାଉଛି । ପୂର୍ବ ଅଫିସ ପଛପଯେ ୪ ମହଲା ବିଶିଷ୍ଟ ଏକ ଆକର୍ଷଣୀୟ କୋଠା ନିର୍ମାଣ ହେବ । ଏନେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ଆରମ୍ଭ କରିସାରିଛନ୍ତି । ଅନୁରୂପ ଭାବେ ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟ ୧୦ ମହଲା ବିଶିଷ୍ଟ ବିଲଡିଂ ନିର୍ମାଣ କରିବ । କଂଗ୍ରେସ ଆଗକୁ ନିଜର ବିଲଡିଂ କରିପାରେ, ମାତ୍ର ବର୍ତ୍ତମାନ ସାମାନ୍ୟ ପଛରେ ରହିଥିବା ଦୃଶ୍ୟମାନ ହେଉଛି । ତେବେ ହଠାତ୍ କେଉଁ ନୀତିକୁ ଆପଣାଇ ସାଧାରଣ ପ୍ରଶାସନ ପକ୍ଷରୁ ରାଜନୈତିକ ଦଳମାନଙ୍କୁ ଏହି ମୂଲ୍ୟବାନ ଜାଗା ପ୍ରଦାନ କରାଯାଇଛି, ତାହାକୁ ନେଇ ପ୍ରଶ୍ନ ଉଠୁଛି ।
କେନ୍ଦ୍ରରେ ବର୍ତ୍ତମାନ ଶାସନାଧୀନ ଥିବା ବିଜେପି ଦଳ ନିଜର ଏକ ବିରାଟ ବିଲଡିଂ ନିର୍ମାଣ କରିଥିଲା, ଯାହାକି ବିଶ୍ୱର ସବୁଠାରୁ ବଡ଼ ପାର୍ଟି ଅଫିସ୍ ରୂପେ ପରିଗଣିତ । ୨୦୧୯ରେ ଦଳ କ୍ଷମତାକୁ ଆସିବା ପରେ ଉକ୍ତ ବିଲଡିଂରେ ବିଜୟୋତ୍ସବ ପାଳନ କରାଯାଇଥିଲା । ତେବେ ଯଦି ଓଡ଼ିଶା କଥା ଚିନ୍ତା କରିବା, ତେବେ ଦୁଇ ଦଶନ୍ଧିରୁ ଅଧିକ ସମୟ କ୍ଷମତାରେ ରହିବା ପରେ ମଧ୍ୟ ବିଜେଡି ଯଦି ଏହି କଥା ପୂର୍ବରୁ ଚିନ୍ତା କରୁନଥିବା, ତେବେ ଏବେ କାହିଁକି? ହୋଇପାରେ ଏହା ରାଜନୈତିକ ପ୍ରତିଯୋଗିତା । ତେବେ ଏହି ବିଜେଡିର ଏହି ବିଲଡିଂ ରାଜ୍ୟବାସୀଙ୍କ ପାଇଁ ସମର୍ପିତ ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ତେବେ ନିର୍ମାଣ ହେବାକୁ ଥିବା ନୂଆ ବିଲ୍ଡିଂରେ ଦଳୀୟ କର୍ମୀଙ୍କ ପାଇଁ ବୈଠକ ସ୍ଥଳ, କନଫରେନ୍ସ ହଲ, ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ସ୍ୱତନ୍ତ୍ର ହଲ୍, ଲାଇବ୍ରେରୀ, ସ୍ୱତନ୍ତ୍ର ଗୃହ, ପାର୍କିଂର ବ୍ୟବସ୍ଥା ରହିବ । ଆସନ୍ତା ୨୦୨୨ ମସିହା ଡିସେମ୍ବର ମାସ ପୂର୍ବରୁ ଏହି ସମସ୍ତ ଫାସିଲିଟି ଉପଲବ୍ଧ ଥିବା ଏହି କୋଠାର ନିର୍ମାଣ କାର୍ଯ୍ୟ ସମାପ୍ତ ହେବ ବୋଲି କୁହାଯାଇଛି ।
ପୂର୍ବରୁ ନବୀନ ନିଜର ସମସ୍ତ ରାଜନୈତିକ କାର୍ଯ୍ୟ ନବୀନ ନିବାସରେ ହିଁ କରୁଥିଲେ । ବୟସାଧିକ୍ୟ କାରଣରୁ ନବୀନ ଅଧିକାଂଶ ସମୟରେ ଅସୁସ୍ଥ ରହୁଥିବା ଦେଖାଯାଉଛି । ହୁଏତ ନବୀନ ନିଜର ଉତ୍ତରାଧିକାରୀଙ୍କୁ ଚୟନ କରିସାରିଛନ୍ତି, ଯିଏକି ନୂଆ ବିଲଡିଂରେ ନୂଆ ଦାୟିତ୍ୱର ଅଧିକାରୀ ହୋଇପାରନ୍ତି । ତେବେ ଏ କ୍ଷେତ୍ରରେ ତିନିଜଣଙ୍କ ନାମ ସାମ୍ନାକୁ ଆସୁଛି । ଦଳର କ୍ଷମତାକେନ୍ଦ୍ର ୫ଟି ସଚିବ ଭିକେ ପାଣ୍ଡିଆନ, ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କ ନାମ ସର୍ବାଗ୍ରେ ରହିଥିବା କୁହାଯାଉଛି । ବାର୍ଦ୍ଧକୁ ହେତୁ ଦଳର ଭବିଷ୍ୟତ ପାଇଁ ନବୀନ ଏହି ନୂଆ ବିଲଡିଂର ନିର୍ମାଣ କରୁଛନ୍ତି ବୋଲି କିଛି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଦିନକୁ ଦିନ ରାଜନୀତିର ପରିଭାଷା ଓ କୌଶଳ ବଦଳିବାରେ ଲାଗିଛି । ତେଣୁ ଦୀର୍ଘ ସମୟ ପାଇଁ ରାଜନୀତିରେ ତିଷ୍ଠି ରହିବା ପାଇଁ ବିଜେଡି ଏହି ବିଲଡିଂ ନିର୍ମାଣ ନିଷ୍ପତ୍ତି ନେଇଥିବା ମଧ୍ୟ କିଛି ସୂତ୍ରରୁ ଜଣାପଡ଼ିଛି ।