ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ରାଜଧାନୀରେ ଅଟୋ ଚାଳକଙ୍କ ପାଇଁ ଖୁବଶୀଘ୍ର ନୂଆ ପଲିସି ଆଣୁଛି ବିଏମସି । ଏଣିକି ଗ୍ରାହକଙ୍କୁ ମନଇଚ୍ଛା ଲୁଟି ପାରିବେନି ଅଟୋ ଚାଳକ । ମୂଲ୍ୟ ବଢାଇ ଆଦାୟ କରିପାରିବେନି ଭଡ଼ା । ପୋଲିସ ପ୍ରଶାସନ ପକ୍ଷରୁ ଏନେଇ ଏକ ପ୍ରସ୍ତାବ ଦିଆଯାଇଥିବାବେଳେ ତର୍ଜମା କରୁଛି ବିଏମସି । ସହରରେ ଅଟୋ ଯାତାୟତ ଓ ଅଟୋ ଚାଳକଙ୍କ ପାଇଁ ଦିଆଯାଇଥିବା ପ୍ରସ୍ତାବରେ ରହିଛି ଅନେକ ନିୟମ ।
ଅଟୋ ଚାଳକମାନେ ମନଇଚ୍ଛା ଗ୍ରାହକଙ୍କ ଠାରୁ ଭଡ଼ା ଆଦାୟ କରିପାରିବେ ନାହିଁ । କୋଲକତା, ଦିଲ୍ଲୀ, ମୁମ୍ବାଇ ଭଳି ଏକ ନିର୍ଦ୍ଦିଷ୍ଟ ଭଡ଼ା ରହିବ । ଅଟୋ ଷ୍ଟାଣ୍ଡରେ ଏକ ରେଟ ଚାର୍ଟ ଲାଗିବ ଏବଂ ଅଟୋରେ ମଧ୍ୟ ଏନେଇ ଉଲ୍ଲେଖ ରହିବ । ତେବେ ନିର୍ଦ୍ଦିଷ୍ଟ ରୁଟ୍ ପାଇଁ ଭଡ଼ା ଫିକ୍ସ ହେବ । କିଲୋମିଟର ହିସାବରେ ନିର୍ଦ୍ଧାରିତ ରେଟ ଚାର୍ଟ ଅନୁସାରେ ଗ୍ରାହକ ଭଡ଼ା ଦେବେ । ଯାହାଫଳରେ ସବୁ ବର୍ଗର ଲୋକେ ଉପକୃତ ହେବେ।
ସାଧାରଣତଃ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଠାରୁ କିଛି ଅଟୋ ଚାଳକ ଅଧିକ ଟଙ୍କା ନେଉଥିବାର ଘଟଣା ବହୁ ବାର ସାମ୍ନାକୁ ଆସିଛି । ଯାହା ଫଳରେ ରାଜଧାନୀରେ ଅଟୋ ଚାଳକଙ୍କୁ ନେଇ ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରିଥାନ୍ତି । ତେଣୁ ଏ ଦିଗରେ ବିଏମସି ଓ ପୋଲିସ ମଧ୍ୟରେ ତର୍ଜମା କରାଯାଇ ନୂଆ ପଲିସି ଅଣାଯିବ ।
ଅଟୋ ଯାତାୟତ ପାଇଁ ରୁଟ୍ ମଧ୍ୟ ନିର୍ଦ୍ଧାରଣ ହେବ । ଅର୍ଥାତ ଟ୍ରାଫିକ ଥିଲେ ମଧ୍ୟ ନିର୍ଦ୍ଧାରିତ ରୁଟ୍ରେ ଅଟୋ ଯାତାୟତ ପାଇଁ ବ୍ୟବସ୍ଥା କରାଯିବ । ଫଳରେ ଯାତ୍ରୀଙ୍କୁ ସହଜରେ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇ ପାରିବେ ଅଟୋ ଚାଳକ । ତେବେ ଅଟୋ ଯାତାୟତ ଲାଗି ନିର୍ଦ୍ଧିଷ୍ଟ ରୁଟ ପାଇଁ ଅନୁମତି ରହିବାର ପଲିସିରେ ନିଷ୍ପତି ନିଆଯିବ ।
ଖାଲି ସେତିକି ନୁହେଁ, ରାସ୍ତା ଉପରେ ମନଇଚ୍ଛା ଚାଳକ ଅଟୋ ରଖିପାରିବେ ନାହିଁ । ଏଥିପାଇଁ ସ୍ବତନ୍ତ୍ର ଅଟୋଷ୍ଟାଣ୍ଡର ବ୍ୟବସ୍ଥା କରାଯିବ । ଏହା ଦ୍ବାରା ଶୃଙ୍ଖଳିତ ଢଙ୍ଗରେ ଅଟୋ ଚଳାଚଳ ହେବ । ଅଟୋ ପାର୍କିଂ ନେଇ ମଧ୍ୟ ବିଶେଷ ପ୍ରାଧାନ୍ୟ ଦିଆଯିବ । ନିର୍ଦ୍ଧାରିତ ସ୍ଥାନରେ ହିଁ ଅଟୋ ପାର୍କ କରିବେ, ଯେଭଳି କୌଣସି ସମସ୍ୟା ନଉପୁଜେ । ଗ୍ରାହକଙ୍କ ପ୍ରତି ଚାଳକଙ୍କ ବ୍ୟବହାର ଓ ଆଚରଣକୁ ଧ୍ୟାନ ଦିଆଯିବ ।ଅଟୋ ପଲିସି ପାଇଁ ସହରର ବିଭିନ୍ନ ଭିଡ଼ ଛକରେ ବିଏମସି ଓ କମିଶନରେଟ ପୋଲିସ ପକ୍ଷରୁ ସ୍ଥିତି ଅନୁଧ୍ୟାନ ସହ ଆବଶ୍ୟକୀୟ ଭିତିଭୂମି ଯାଞ୍ଚ କରାଯାଉଛି ।
ଟ୍ରାଫିକ ଏସିପି ସ୍ଵସ୍ତିକ ପଣ୍ଡା,”ଏନେଇ ବିଚାର ବିମର୍ଶ ପରେ ଖୁବଶୀଘ୍ର ପଲିସି ଲାଗୁ ହେବ । ଉଭୟ ଯାତ୍ରୀ ଓ ଅଟୋ ଚାଳକଙ୍କ ସୁବିଧାକୁ ଲକ୍ଷ୍ୟ କରି ପଲିସି ଅଣାଯିବ ।” ଅନ୍ୟପଟେ ଏଭଳି ନିଷ୍ପତିକୁ ସ୍ବାଗତ କରିଛନ୍ତି ବିଭିନ୍ନ ଅଟୋ ଆସୋସିଏସନ କର୍ମକର୍ତ୍ତା ।