କେଦାରନାଥରେ ମୋବାଇଲ ମନା

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) :  ବଦ୍ରିନାଥ ଓ କେଦାରନାଥ ମନ୍ଦିର ସମିତି ଏକ ବଡ ନିଷ୍ପତ୍ତି ନେଇଛନ୍ତି । କେଦାରନାଥରେ ମୋବାଇଲ ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗିଛି। କେବଳ ଏତିକି ନୁହେଁ ମନ୍ଦିର ପରିସରରେ ଏବେ ଆଉ ଫଟୋ କିମ୍ବା ଭିଡ଼ିଓ ଉଠାଇ ପାରିବେନି ଭକ୍ତ । ମନ୍ଦିର ପରିସର ଏନେଇ ସୂଚନା ଫଳକ ଲାଗିଛି । ଯେଉଁଥିରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ, ମୋବାଇଲ ସହ ମନ୍ଦିର ଭିତରକୁ ପ୍ରବେଶ ମନା । ମନ୍ଦିର ଭିତରେ ଫଟୋଗ୍ରାଫି କିମ୍ବା ଭିଡ଼ିଓଗ୍ରାଫି ସମ୍ପୂର୍ଣ୍ଣ ବ୍ୟାନ୍ ।

କେବଳ ଏତିକି ନୁହେଁ ମନ୍ଦିର ସମିତି ଶ୍ରଦ୍ଧାଳୁଙ୍କୁ ସଭ୍ୟ ପୋଷାକ ପରିଧାନ କରି ଆସିବାକୁ କହିବା ସହ ମନ୍ଦିର ପରିସର ମଧ୍ୟରେ ତମ୍ବୁ କିମ୍ବା ଟେଣ୍ଟ ନ ଲଗାଇବାକୁ କହିଛି । ଯଦି କୌଣସି ଭକ୍ତ ଏହି ନିୟମ ପାଳନ ନକରେ ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସମିତି ପକ୍ଷରୁ ନୋଟିସ୍ ଜାରି ହୋଇଛି। ଖବର ଅନୁଯାୟୀ ଅନେକ ସମୟରେ ବିଶୃଙ୍ଖଳିତ ଶ୍ରଦ୍ଧାଳୁ ମନ୍ଦିର ଭିତରେ ଏବଂ ବାହାରେ ଆପତ୍ତିଜନକ ଭିଡିଓ କରୁଥିବା ନଜର ଆସୁଛନ୍ତି । ଯାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

ପୂର୍ବରୁ ମନ୍ଦିରର ଗର୍ଭଗୃହରେ ପ୍ରବେଶ ପୂର୍ବରୁ ଯାତ୍ରୀଙ୍କୁ ମୋବାଇଲ ଫୋନ୍ ସ୍ୱିଚ୍ ଅଫ କରିବାକୁ କୁହାଯାଉଥିଲା ଏବଂ କ୍ୟାମେରା ନେବାକୁ ମନା କରାଯାଉଥିଲା । କିନ୍ତୁ ଏବେ ପୂରା ମନ୍ଦିର ପରିସରରେ ମୋବାଇଲ ଏଣ୍ଟ୍ରିକୁ ବ୍ୟାନ୍ କରି ଦିଆଯାଇଛି । ଏହାପୂର୍ବରୁ କେଦାରନାଥ ପୀଠରୁ ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଯୁବକ-ଯୁବତୀ ଭଗବାନଙ୍କୁ ଦର୍ଶନ କରୁଥିଲେ । ଆଉ ଅଚାନକ ଯୁବତୀ ଜଣକ ନିଜର ପୁରୁଷ ବନ୍ଧୁଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ । ଯାହାର ଭିଡ଼ିଓ ଭାଇରାଲ ହୋଇଥିଲା ।

Leave A Reply

Your email address will not be published.