ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ଏନେଇ ଭୋଟରଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି । ସକାଳୁ ସକାଳୁ ସବୁ ବୁଥ୍ରେ ଦେଖିବାକୁ ମିଳୁଛି ପ୍ରବଳ ଭିଡ। କିଛି ବୁଥ୍ରେ ଭୋଟର ମୋବାଇଲ ନେଇ ଯାଉଥିବା ଦେଖିବାକୁ ମିଳିଥିବାବେଳେ ଏପରି ନ କରିବାକୁ ଉଭୟ ଭୋଟର ଓ ଅଧିକାରୀଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଅପିଲ କରିଛନ୍ତି । ସୂଚନା ଅନୁସାରେ ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍ ।
ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ତେବେ ସକାଳ ୯ଟା ସୁଦ୍ଧା ୭.୪୩ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି ଭୋଟ୍ ଦେବା ଲାଗି ସକାଳୁ ସକାଳୁ ବୁଥ ମାନଙ୍କରେ ଭୋଟରମାନେ ଭିଡ଼ ଲଗାଇଛନ୍ତି । ଆଜି ୬ ଲୋକସଭା ଆସନ କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନପାଇଁ ଭୋଟ ଗ୍ରହଣ ହେଉଛି । ୬ ସଂସଦୀୟ କ୍ଷେତ୍ର ପାଇଁ ରଣାଙ୍ଗନରେ ଅଛନ୍ତି ୬୪ ପ୍ରାର୍ଥୀ । ଏମାନଙ୍କ ମଧ୍ୟରୁ ୫୫ ଜଣ ପୁରୁଷ ଓ ୯ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ସେହିପରି ୪୨ ବିଧାନସଭା ଆସନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ୩୮୩ ପ୍ରାର୍ଥୀ ।
ଏମାନଙ୍କ ମଧ୍ୟରୁ ୩୩୯ ଜଣ ପୁରୁଷ ଏବଂ ୪୪ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ୬ ସଂସଦୀୟ କ୍ଷେତ୍ରରେ ମୋଟ ୯୪ ଲକ୍ଷ ୪୮ ହଜାର ୫୫୩ ଭୋଟର ମତାଧିକାର ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୪୮ ଲକ୍ଷ ୨୯ ହଜାର ୬୬୦ ପୁରୁଷ, ୪୬ ଲକ୍ଷ ୧୭ ହଜାର ୬୦୨ ମହିଳା ଏବଂ ୧ ହଜାର ୨୯୧ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି । ଏହି ପର୍ଯ୍ୟାୟରେ ୨ ଲକ୍ଷ ୩୭ ହଜାର ୧୩୧ ଜଣ ପ୍ରଥମ ଭୋଟର ଥିବା ବେଳେ ୧୮ ଲକ୍ଷ ୪୫ ହଜାର ୫୦୩ ଜଣ ଯୁବ ମତଦାତା ଅଛନ୍ତି ।
Comments are closed.