ଓଡ଼ିଆ ନ୍ୟୁଜ୍: ରାଇଘରର ପୀଡ଼ିତା ନର୍ସିଂ ଛାତ୍ରୀଙ୍କର ଭୁବନେଶ୍ବର ଏମ୍ସରେ ମୃତ୍ୟୁ।ବିଷ ପିଇ ଗୁରୁତର ହୋଇଥିଲେ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ।ଏକତରଫା ପ୍ରେମ ବ୍ୟାପାରରୁ ନର୍ସିଂ ଛାତ୍ରୀଙ୍କ ଫଟୋ ଭାଇରାଲ ହୋଇଥିଲା।ଏକତରଫା ଭଲ ପାଉଥିବା ଯୁବକ ଓ ଜଣେ ସିକ୍ୟୁରିଟି ଗାର୍ଡ଼ ଭାଇରାଲ କରିଥିଲେ।ଉଭୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ସାରିଛି।
ନବରଂଗପୁରର ଛାତ୍ରୀଙ୍କ ଆଜି ସନ୍ଧ୍ୟାରେ ଭୁବନେଶ୍ବରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ମୃତ୍ୟୁ ଘଟିଛି। ଆସନ୍ତାକାଲି ମୃତ ଛାତ୍ରୀଙ୍କର ପୋଷ୍ଟମର୍ଟମ ହେବ ବୋଲି ଏମ୍ସ ଭୁବନେଶ୍ବର ସୂତ୍ରରୁ ପ୍ରକାଶ। ପୋଷ୍ଟମର୍ଟମ ପରେ ମୃତଦେହ ଛାତ୍ରୀଙ୍କ ଗାଁକୁ ଯିବ ଓ ସମ୍ଭବତଃ ସୋମବାର ଦିନ ଅନ୍ତିମ ସଂସ୍କାର କରାଯିବ। ସୂଚନାଯୋଗ୍ୟ, ଛାତ୍ରୀ ଜଣକ ଗତମାସ ୧୩ ତାରିଖ ଦିନ ବଜାରକୁ ସଉଦା କିଣିବାକୁ ଯାଇଥିଲେ। ଏହି ସମୟରେ ଏକତରଫା ଭଲ ପାଉଥିବା ଅଭିଯୁକ୍ତ ସତ୍ୟଜିତ ସରକାର ସେଠାରେ ପହଞ୍ଚି ପୀଡ଼ିତାଙ୍କୁ ରାଜରାସ୍ତାରେ ମାରପିଟ କରିଥିଲା।
ଆକ୍ରମଣର ଶିକାର ପୀଡ଼ିତାଙ୍କ ଆଖି ଓ ମୁହଁ ଫୁଲି ଯାଇଥିଲା। ରକ୍ତାକ୍ତ ଅବସ୍ଥାରେ ସେ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ପୁଲିସ ସତ୍ୟଜିତକୁ ଅଟକ ରଖି ସର୍ତ୍ତମୂଳକ ଭାବରେ ଛାଡ଼ି ଦେଇଥିଲା।ଏଥିରେ ସେ ପ୍ରତିଶୋଧ ପରାୟଣ ହୋଇ ପୀଡିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କ କିଛି ଫୋଟ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ କରିଥିଲା।