ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ଛାତ୍ରଛାତ୍ରୀ ସିଭିଲ ସର୍ଭିସେସ ପରୀକ୍ଷାରେ କିଭଳି ଭଲ ପ୍ରଦର୍ଶନ କରିବେ, ଏହାକୁ ନେଇ ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି। ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ସଂଶୋଧନ ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ମଂଜୁର ପ୍ରଦାନ କରିଛନ୍ତି । ଏହାଦ୍ୱାରା ପରୀକ୍ଷା ଢ଼ାଞ୍ଚା ବଦଳିଯାଇଛି ।
ଏଣିକି ଓସିଏସ୍ ପରୀକ୍ଷା ଓଡ଼ିଆ ଭାଷାରେ ଦେଇହେବ । ଯେଉଁମାନେ ଚାହିଁବେ ସେମାନେ ଇଂରାଜୀ ଭାଷାରେ ପରୀକ୍ଷା ଦେଇପାରିବେ । ସାକ୍ଷାତକାର ମଧ୍ୟ ଓଡ଼ିଆରେ ହେବ । ଯେଉଁମାନେ ଚାହିଁବେ ଇଂରାଜୀରେ ଦେଇପାରିବେ । ଅର୍ଥାତ ଉଭୟ ଲିଖିତ ଓ ସାକ୍ଷାତକାର ପରୀକ୍ଷା ଯିଏ ଚାହିଁବେ ଇଂରାଜୀ କିମ୍ବା ଓଡ଼ିଆ ଭାଷାରେ ଦେଇପାରିବେ ।
ପୂର୍ବରୁ ଦୁଇଟି ଇଚ୍ଛାଧିନ ବିଷୟ ରହୁଥିଲା। ଆଜି ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଂଶୋଧନକୁ ମିଳିଛି କ୍ୟାବିନେଟ ମଞ୍ଜୁରୀ । ଏଣିକି ୨୨୫୦ ମାର୍କର ପରୀକ୍ଷା ବଦଳରେ ୨୦୦୦ ମାର୍କର ପରୀକ୍ଷା ଦେବେ ପରୀକ୍ଷାର୍ଥୀ। ଇଂରାଜୀରେ ପ୍ରବନ୍ଧ ଲେଖିବା ବାଧ୍ୟତା ମୂଳକ ଥିଲା, ଏବେ ଓଡ଼ିଆ କିମ୍ବା ଇଂରାଜୀରେ ଲେଖି ପାରିବେ। ଏହା ସହ ଅଣସଂରକ୍ଷିତ ପ୍ରାର୍ଥୀ ୬ଥର, ଏସଇବିସି ପ୍ରାର୍ଥୀ ୯ଥର ଓ ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀ ଯେତେ ଥର ଚାହିଁବେ ସେତେଥର ପରୀକ୍ଷା ଦେଇପାରିବେ । ୟୁପିଏସସି ପରୀକ୍ଷା ଭଳି ଏଣିକି ଓସିଏସ ପରୀକ୍ଷାରେ ଗୋଟିଏ ଅପସନାଲ୍ ବ୍ୟବସ୍ଥା ରହିବ । ଦୁଇଟି ନୁହେଁ, ଏଣିକି ପରୀକ୍ଷାର୍ଥୀମାନେ ଗୋଟିଏ ଅପସନାଲ୍ ବିଷୟ ବାଛିବେ । ପୂର୍ବରୁ ୨୨୫୦ ମାର୍କର ପରୀକ୍ଷା ହେଉଥିଲା । ଏଣିକି ସାକ୍ଷାତକାରକୁ ମିଶାଇ ମୋଟ ୨୦୦୦ ମାର୍କର ପରୀକ୍ଷା ହେବ । ପୂର୍ବରୁ ବାଧ୍ୟତାମୂଳକ ଥିବା ଇଂରାଜୀ ପ୍ରବନ୍ଧ ଲିଖନରେ ବି ସଂଶୋଧନ କରାଯାଇଛି । ପରୀକ୍ଷାର୍ଥୀମାନେ ଇଂରାଜୀ କିମ୍ବା ଓଡ଼ିଆରେ ଗୋଟିଏ ପ୍ରବନ୍ଧ ଲେଖିପାରିବେ । ପୂର୍ବରୁ ଅଣସଂରକ୍ଷିତ ବର୍ଗ ୪ ଥର ପରୀକ୍ଷା ଦେଇପାରୁଥିଲେ । ଏବେ ୬ ଥର ଦେଇପାରିବେ । ଏସସି/ଏସଟି ବର୍ଗ ପୂର୍ବଭଳି ଯେତେଥର ଚାହିଁବେ ପରୀକ୍ଷା ଦେଇପାରିବେ ।