ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ହେବାର ୨୨ ଦିନ ପରେ ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏବେଠୁ ମୁଖ୍ୟମନ୍ତ୍ରୀଙ୍କ ସ୍ଥାୟୀ କାର୍ଯ୍ୟାଳୟ ତୃତୀୟ ମହଲା । ସରକାରୀ ଓ ବେସରକାରୀ ସ୍ତରରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାରକୁ ସହଜ, ସରଳ ସୁଗମ କରାଯିବ । ଏଥିନିମନ୍ତେ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରାଯିବ।’ ଓଡ଼ିଶାର ଅସ୍ମିତାକୁ ରକ୍ଷା କରିବାର ପ୍ରତିଶ୍ରୁତି ଦେଇ ନିର୍ବାଚନର ବୈତରଣୀ ପାର ହୋଇଥିବା ବିଜେପି ଆଜି ଏ ଦିଗରେ ପ୍ରଥମ ପଦକ୍ଷେପ ଉଠାଇଛି |
ଶପଥ ନେବାର ୨୨ ଦିନ ପରେ ଆଜିଠୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକସେବା ଭବନରୁ ବିଧିବଦ୍ଧ ଭାବେ କାମ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ ଓଡ଼ିଆ ଅସ୍ମିତା ପ୍ରସଙ୍ଗରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଗଣମାଧ୍ୟମ ପ୍ରତିନିଧୀଙ୍କୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ପରିଚାଳନା ରାଜ୍ୟର ଭାଷା ଓଡ଼ିଆରେ ହିଁ ହେବ। ତେଣୁ ଓଡ଼ିଆରେ ହେବ ସରକାରୀ କାମ । ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ କମିଶନ ଗଠନ ହେବ। ଓଡ଼ିଆ ଭାଷା ପ୍ରତିଷ୍ଠାନର ପୁନର୍ଗଠନ କରାଯିବ। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର କରାଯିବ ଆବଶ୍ୟକ ହେଲେ ସରକାରୀ ଭାଷା ଆଇନରେ ସଂଶୋଧନ କରାଯିବ।
ଭୌତିକ ପ୍ରଗତି ସହ ସାଂସ୍କୃତିକ ପ୍ରଗତିକୁ ଗୁରୁତ୍ୱଦିଆଯିବ। ଓଡ଼ିଆ ଅସ୍ମିତା ସଂରକ୍ଷଣ ଓ ପ୍ରସାର ଉପରେ ଗୁରୁତ୍ୱାରୋପ କରାଯାଇଛି। ସାହିତ୍ୟ, କଳା, ସଙ୍ଗୀତ ଓ ଲଳିତ କଳା ଏକାଡେମୀର ପୁନଃଗଠନ ପାଇଁ ପଦକ୍ଷେପ ନେବେ ସରକାର। ପ୍ରତି ଜିଲ୍ଲାର କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦିଆଯିବ। ନିର୍ମାଣ କରାଯିବ ଅନୁବାଦ ଏକାଡେମୀ, ଓଡ଼ିଆ ଅସ୍ମିତା ଭବନ। ଭାଷା ପାଇଁ ଆଧୁନିକ ସରଳ ଓ ସୁଗମ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ