ଓଡ଼ିଆ ନ୍ୟୁଜ୍: ଓଡ଼ିଶା ବଜେଟ୍ ୨୦୨୬-୨୭ରେ କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ବିକାଶକୁ ସର୍ବାଧିକ ପ୍ରାଥମିକତା ପ୍ରଦାନ କରାଯାଇଛି। ଚାଷୀମାନଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ବ୍ୟାପକ ସହାୟତା ରାଶିର ବ୍ୟବସ୍ଥା ସହ କୃଷି କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ଓ ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ବଜେଟ୍ ଅଧୀନରେ ପୁଷ୍ଟିଶସ୍ୟର ଚାଷ ଓ ବ୍ୟବହାରକୁ ବୃଦ୍ଧି କରିବା ସହିତ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରି ଓଡ଼ିଶାର ପ୍ରତିଟି କୃଷକ ପରିବାରକୁ ଏକ ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭବିଷ୍ୟତ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ସରକାର ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରାଯାଇଛି । ଗତବର୍ଷ ତୁଳନାରେ ବଜେଟ ଆକାରରେ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି । ବଜେଟରେ ରାଜ୍ୟ ସରକାର କୃଷି ଓ କୃଷକଙ୍କ ବିକାଶ ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, କୃଷକଙ୍କ ଆୟ ବୃଦ୍ଧିକୁ ସୁନିଶ୍ଚିତ କରିବା ସରକାର “ସମୃଦ୍ଧ କୃଷକ” ଯୋଜନାର ଶୁଭାରମ୍ଭ କରିଛନ୍ତି, ଯାହା ଅଧୀନରେ କ୍ଲିଣ୍ଟାଲ ପିଛା ୩୧ ଶହ ଟଙ୍କା ମୂଲ୍ୟରେ ଧାନ କ୍ରୟ ର ସୁବିଧା ଯୋଗାଇ ଦିଆଯାଉଛି । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଏହି ଯୋଜନା ଅଧୀନରେ ୬ ହଜାର ୮୮ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି । ରାଜ୍ୟରେ ଆସନ୍ତା ୩ ବର୍ଷ ମଧ୍ୟରେ ପ୍ରାୟ ୧୧ ଲକ୍ଷ ମେଟ୍ରିକ ଟନ୍ ବିଶିଷ୍ଟ ଆଧୁନିକ ଗୋଦାମ ନିର୍ମାଣ କରାଯିବାର ପ୍ରସ୍ତାବ ରହିଛି ।