ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ଓଡ଼ିଶାର ସହରାଚଂଳ ଜଳମଗ୍ନ: ବିଜେପି ତରଫରୁ ବିଏମସି, ସିଏମସି ସମେତ ରାଜ୍ୟର ସମସ୍ତ ମ୍ୟୁନିସପାଲଟି ଅଫିସ ଆଗରେ ବିକ୍ଷୋଭ କରିବ ବିଜେପି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜଳ ବିହୁନେ ସର୍ବନାଶ ଜଳ ବହୁଳେ ସର୍ବନାଶ । ଗୋଟିଏ ପଟେ ରାଜ୍ୟର ଚାଷୀକୁଳ ବର୍ଷାକୁ ଅନାଇ ବସିଥିବାବେଳେ ଅନ୍ୟ ପଟେ ସାମାନ୍ୟ ବର୍ଷା ପାଣିରେ ରାଜ୍ୟବାସୀଙ୍କ ଜୀବନ ହନ୍ତସନ୍ତ । ମାତ୍ର କେଇ ଘଂଟା ବର୍ଷା ପାଣିରେ ରାଜ୍ୟର ବିଭିନ୍ନ ଅଂଚଳରେ ମନୁଷ୍ୟାକୃତ ବନ୍ୟା ବିପଦ ମାଡି ଆସିଛି । ରାଜ୍ୟ ସରକାରଙ୍କ ଅପାରଗତା ଓ ସ୍ଥାଣୁତା କାରଣରୁ ଭୁବନେଶ୍ୱର, କଟକ ସମେତ ଅନ୍ୟାନ୍ୟ ସହରାଂଚଳ ବାସିନ୍ଦା ଆଜି ପାଣି ଘେରରେ । ନଦୀ ଶୁଖିଲା ପଡିଛି, କିନ୍ତୁ ମନୁଷ୍ୟାକୃତ ବନ୍ୟାରେ ସମଗ୍ର ଓଡିଶା ଆଜି ଜଳମଗ୍ନ ହୋଇପଡିଛି । ବର୍ଷା ଦିନ ପୂର୍ବରୁ ପ୍ରଶାସନ ନଦୀବନ୍ଧର ସୁରକ୍ଷା ତଥା ସହରାଂଚଳର ପାଣି ନିଷ୍କାସନ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ ନକରିଥିବା କାରଣରୁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଏଥିପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଭୁବନେଶ୍ୱର ଓ କଟକ ମହାନଗରରେ ଏଭଳି ଜଳବନ୍ଦୀ ସମସ୍ୟା ଆସିବା ପୂର୍ବରୁ ମେୟର ଓ ଅନ୍ୟମାନେ ସର୍ବଦଳୀୟ ବୈଠକ ଡାକିବା, ସମସ୍ତ ବିଭାଗ ସହିତ ସମନ୍ୱୟ ରଖି ଅଧିକାରୀମାନଙ୍କ ସହ ଆଲୋଚନା କରିବା ପରିବର୍ତେ ନିଜର ସଂକୀର୍ଣ୍ଣ ସ୍ୱାର୍ଥ ସାଧନ ପାଇଁ ସିଙ୍ଗାପୁରରେ ସମୟ କଟାଉଥିଲେ ।

ରାଜ୍ୟ ସରକାରଙ୍କ ଅବହେଳା କାରଣରୁ ଅସରାଏ ବର୍ଷାରେ ଭୁବନେଶ୍ୱର, କଟକ, ଭଦ୍ରକ ସମେତ ଅନ୍ୟାନ୍ୟ ସହରାଂଚଳରେ ରାସ୍ତା ଉପରେ ପାଣି ଲହଡି ମାରିବା ସହ ମୁକୁଳା ଡ୍ରେନରେ ପଡି ଲୋକଙ୍କ ଜୀବନ ଯାଉଛି । ଗତକାଲି କଟକରେ ଜଣେ ୨୧ ବର୍ଷୀୟ ଯୁବକ ଖୋଲା ଡ୍ରେନରେ ପଡିଯାଇ ମୃତ୍ୟୁ ହେବା ଅତ୍ୟନ୍ତ ଦୁଃଖଦ ଘଟଣା । ଦୀର୍ଘ ୨୩ ବର୍ଷ ଧରି ନିରବଚ୍ଛିନ ଭାବେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଦାୟୀତ୍ୱରେ ଥିବା ସତ୍ୱେ ସାମାନ୍ୟ ବର୍ଷା ପାଣିରୁ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି । ଜଳବନ୍ଦୀରୁ ଭୁବନେଶ୍ୱରବାସୀଙ୍କୁ ରକ୍ଷା କରିବେ ବୋଲି ମୁଖ୍ୟମନ୍ତ୍ରୀ ୨୦୧୪ରେ ଘୋଷଣା କରିଥିଲେ ଏବଂ ଏଥି ପାଇଁ ୨୦୧୮ ମସିହାରେ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ଏହି ଟଙ୍କା ଯଦି ଖର୍ଚ୍ଚ ହୋଇଛି ତାହାଲେ ଅସରାଏ ବର୍ଷାରେ କାହିଁକି ରାଜଧାନୀ ଜଳବନ୍ଦୀ ହେଉଛି ବୋଲି ପ୍ରଶ୍ନ କରିବା ସହିତ ଗତକାଲିର ମନୁଷ୍ୟାକୃତ ବନ୍ୟା ରାଜ୍ୟ ସରକାରଙ୍କ ପାରିବା ପଣିଆକୁ ପ୍ରମାଣିତ କରିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଖୋଦ୍ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ, ତାଙ୍କ ବ୍ୟକ୍ତିଗତ ସଚିବ, ମେୟରଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀମାନେ ରହୁଥିବା ରାଜଧାନୀରେ ଯଦି ଏଭଳି ଅବସ୍ଥା ତାହାଲେ ରାଜ୍ୟର ଅନ୍ୟାନ୍ୟ ଅଂଚଳର ପରିସ୍ଥିତି ସହଜେ ଅନୁମେୟ । ରାଜଧାନୀରେ ୧୦ଟି ପ୍ରାକୃତିକ ଡ୍ରେନ ସମେତ ଗଙ୍ଗୁଆ ନାଳ ଯାହାକି ଜଳ ନିଷ୍କାସନ କରିଥାଏ । ଏହି ନାଳ ଗୁଡିକ ଉପରେ ବେଆଇନଭାବେ ଜମି ମାଫିଆ ଓ ଅନ୍ୟମାନେ ଜବରଦଖଲ କରି ବିଭିନ୍ନ ଅଟାଳିକା ତିଆରି କରିବା ଫଳରେ ଆଜି ଏଭଳି ସମସ୍ୟା ଉପୁଜିଛି ।

ସରକାରୀ ଦଳ ନେତାଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ମାଫିଆମାନେ ଏହି ଡ୍ରେନ ଗୁଡିକୁ ବେଆଇନ ଭାବେ ଜବରଦଖଲ କରିଛନ୍ତି । ସହର ଭିତରୁ ପାଣି ନିଷ୍କାସନରେ ବାଧା ସୃଷ୍ଟି ହେବା କାରଣରୁ ମନୁଷ୍ୟକୃତ ବନ୍ୟା ସୃଷ୍ଟି ହେଉଛି । ମେୟର, ନଗରପାଳ, ପୈାର କତୃପକ୍ଷ, ସରକାରଙ୍କ ପୁର୍ତ, ବିଜୁଳି, ନଗର ଉନ୍ନୟନ, ଜଳସେଚନ ଆଦି ବିଭାଗ ମଧ୍ୟରେ ସମନ୍ୱୟ ଅଭାବ ସ୍ପଷ୍ଟ ପରିଲକ୍ଷିତ ହେଉଛି । ଠିକାଦାର, ସରକାରୀ ଦଳର ନେତା, ମନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରିଙ୍କ ଅସାଧୁ ମେଂଟରେ ୫୦-୫୦ ପିସିରେ ରାସ୍ତା ଓ ଡ୍ରେନ ନିର୍ମାଣ କରାଯାଉଛି । ବ୍ୟାପକ ଦୁର୍ନୀତି ଏବଂ ରାଜ୍ୟ ସରକାରଙ୍କ ଆନ୍ତରିକ ଅଭାବ କାରଣରୁ ଏଭଳି ଗମ୍ଭୀର ପରିସ୍ଥିତି ସୃଷ୍ଟି ହେବା ସ୍ୱାଭାବିକ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଜନଶୁଣାଣୀର ନୂଆ ଭେଳିକି ଆରମ୍ଭ କରିଛନ୍ତି । ବର୍ଷା ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ କାହିଁକି ସମୀକ୍ଷା କରିଲେ ନାହିଁ ? ମୁଖ୍ୟମନ୍ତ୍ରୀ କ’ଣ ଅଜ୍ଞାତ ବାସରେ ଅଛନ୍ତି କି? ଯଦି ତାଙ୍କର ବ୍ୟକ୍ତିଗତ ସଚିବଙ୍କୁ ବିଭିନ୍ନ ଜିଲ୍ଲା ବୁଲାଇ ଜନଶୁଣାଣୀ କରିବା ପାଇଁ ପଠାଉଛନ୍ତି, ତାହେଲେ ପାଣି ଘେରରେ ଥିବା ସହରାଂଚଳବାସିନ୍ଦାଙ୍କ ସମସ୍ୟାର ଜନଶୁଣାଣୀ କେବେ ହେବ? ତଥାକଥିତ “ଟି-କନସେପ୍ଟ”ରେ ଜଳବନ୍ଦୀ ସମସ୍ୟାର ସମାଧାନ ଆସୁଛି ନା ନାହିଁ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।

ସାମାନ୍ୟ ବର୍ଷା ପାଣିରେ ବୈତରଣୀରେ ନଦୀ ବନ୍ଦ ଭାଙ୍ଗିବା, ଜଗତସିଂହପୁର ମାଛଗାଁ କେନାଲ ବନ୍ଧ ଭାଙ୍ଗିଯିବା ଘଟଣା ଜଳସେଚନ ବିଭାଗରେ ବ୍ୟାପକ ଦୁର୍ନିତୀକୁ ପ୍ରମାଣିତ କରିଛି । ବର୍ତମାନ ସୁଦ୍ଧା ଏହି ନଦୀବନ୍ଧ ମରାମତି ପାଇଁ କୈାଣସି ପଦକ୍ଷେପ ନିଆଯାଇନାହିଁ । କେବଳ ଏହି ଦୁଇ ବନ୍ଦ ନୁହେଁ ବରଂ ବିଭିନ୍ନ ଜିଲ୍ଲାର ନଦୀବନ୍ଧର ସୁରକ୍ଷା ପାଇଁ ରାଜ୍ୟ ସରକାର ପ୍ରତି ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ବି ନିମ୍ନମାନର କାମ ପାଇଁ ମାତ୍ର ଅଳ୍ପ ଦିନ ଭିତରେ ଭୁଷୁଡି ପଡୁଛି ।

ରାଜ୍ୟ ସରକାର ମନୁଷ୍ୟକୃତ ବନ୍ୟା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ ନକରିଲେ ଆଗାମୀ ଦିନରେ ବିଜେପି ତରଫରୁ ବିଏମସି, ସିଏମସି ସମେତ ରାଜ୍ୟର ସମସ୍ତ ମ୍ୟୁନିସପାଲଟି ଅଫିସ ଆଗରେ ବିକ୍ଷୋଭ କରାଯିବ ବୋଲି ଶ୍ରୀ ମହାପାତ୍ର ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.