ହାତୀଙ୍କ ସୁରକ୍ଷା ପ୍ରସଙ୍ଗ: ଅଧିକ ତଥ୍ୟ ଦାଖଲ କରିବା ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ହାତୀଙ୍କ ସୁରକ୍ଷା ପ୍ରସଂଗକୁ ନେଇ ଦାୟର ଜନସ୍ବାର୍ଥ ମାମଲାରେ ଦୁଇ ଦିନ ଭିତରେ ଅଧିକ ତଥ୍ୟ ଦାଖଲ କରିବା ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ରାଜ୍ୟରେ ହାତୀଙ୍କ ପ୍ରକୃତ ସ୍ଥିତି ସଂକ୍ରାନ୍ତରେ ଅଧିକ ତଥ୍ୟ ଦାଖଲ କରିବେ ଯାହା ଦ୍ବାରା ଏହି ମାମଲାରେ ଅଦାଲତ ଫଳପ୍ରଦ ନିର୍ଦ୍ଦେଶ ପ୍ରଦାନ କରବା ସମ୍ଭବ ହେବ ବୋଲି ଖଣ୍ଡପୀଠ କହିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୀତା ରାଉତଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୫ ତାରିଖକୁ ଧାର୍ଯ୍ୟ କରାଯାଇଛି।

କଟକ ମଙ୍ଗଳାବାଗ ଅଞ୍ଚଳର ଗୀତା ରାଉତଙ୍କ ଆବେଦନରେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟରେ ବନ୍ୟଜନ୍ତୁ ଶିକାର ବଢି ଚାଲିଥିବା ବେଳେ ହାତୀ ମୃତ୍ୟୁ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ନିକଟରେ ନରସିଂହପୁର ସଂରକ୍ଷିତ ଜଙ୍ଗଲରେ ଗୁଳି ମାଡର ଶିକାର ହାତୀର ମୃତ୍ୟୁ ହୋଇଥିଲା। କିନ୍ତୁ ହାତୀ ମୃତ୍ୟୁ ପାଇଁ ରାଜ୍ୟ ସରକାର ଓ ବନ ବିଭାଗ ଏହି ଘଟଣା ପାଇଁ ଚିନ୍ତିତ ନଥିବା ଭଳି ଲାଗୁଛି। ବନ୍ୟ ଜୀବନ (ସୁରକ୍ଷା )ଆଇନ,୧୯୭୨ ଅଧିନରେ ଥିବା ଦଣ୍ଡ ବ୍ୟବସ୍ଥା ଯଦି କଠୋର ନ ହେବ ତେବେ ଏଭଳି ଘଟଣା ନିୟମିତ ଘଟିବ। ଆସାମ ସରକାର ୨୦୧୦ରେ ବଣ୍ୟଜନ୍ତୁ ସୁରକ୍ଷା ପାଇଁ ରହିଥିବା ଆଇନରେ ପରିବର୍ତ୍ତନ କରି ଦଣ୍ଡ ବ୍ୟବସ୍ଥା କଠୋର କରିଥିଲେ। ଆସାମ ଢଙ୍ଗରେ ଓଡ଼ିଶାରେ ମଧ୍ୟ ଆଇନରେ ସଂଶୋଧନ କରାଯାଇ ବନ୍ୟଜନ୍ତୁ ଶିକାର ପାଇଁ କଠୋର ଦଣ୍ଡ ବ୍ୟବସ୍ଥା କରାଯିବା ଲାଗି ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ବିଗତ ୫ ବର୍ଷ ଭିତରେ ବନ୍ୟଜନ୍ତୁ ବିିଶେଷ କରି ହାତୀଙ୍କ ସୁରକ୍ଷା ପାଇଁ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ସରକାରଙ୍କ ନିକଟରୁ ଜବାବ ତଲବ କରାଯାଉ। କେତେ ଜଣ ଅଭିଯୁକ୍ତଙ୍କୁ ହାତୀ ଶିକାର ପାଇଁ ଗିରଫ କରାଯାଇଛି ସେ ସରକାର ସ୍ପଷ୍ଟ କରନ୍ତୁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ, ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ, ରାଜ୍ୟ ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।

Leave A Reply

Your email address will not be published.