କଟକ ସହରର କଲ୍ୟାଣ ମଣ୍ଡପଗୁଡିକ ପାଇଁ ନୂଆ ନିୟମାବଳୀ ପ୍ରସ୍ତୁତ କରି ରାଜ୍ୟସରକାରଙ୍କ ଅନୁମୋଦନ ପାଇଁ ପଠାଅ: ସିଏମସିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଟକ ସହରରେ ରହିଥିବା କଲ୍ୟାଣ ମଣ୍ଡପଗୁଡିକ ପାଇଁ ନୂଆ ନିୟମାବଳୀ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇବା ପାଇଁ ଓଡିଶା ହାଇକୋର୍ଟ କଟକ ମହାନଗର ନିଗମକୁ ନିର୍ଦେଶ ଦେଇଛନ୍ତି। ଏହି ନୂତନ ନିୟମାବଳୀ ସେପ୍ଟେମ୍ବର ୭ ସୁଦ୍ଧା ଅଦାଲତରେ ଦାଖଲ କରିବା ପାଇଁ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଇ ଭେଙ୍କଟ ରାଓଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ୧୨ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି। କଟକ ସହରରେ ରହିଥିବା କଲ୍ୟାଣ ମଣ୍ଡପ ଚାଲିବା ପାଇଁ ସର୍ତ୍ତାବଳୀ ସିଏମସିର ରହିଛି। ତେବେ ସର୍ତ୍ତକୁ ଖିଲାପ କରି ଅନେକ ମଣ୍ଡପ ଚାଲିବା ନେଇ ହାଇକୋର୍ଟରେ ପୂର୍ବରୁ ମାମଲା ଦାୟର ହୋଇଥିବାବେଳେ ବେଆଇନ ମଣ୍ଡପ ସଂପର୍କରେ ଅନୁଧ୍ୟାନ କରିବା ପାଇଁ କୋର୍ଟ ଏକ ସବ୍‍ କମିଟି ଗଠନ ପାଇଁ ୨୦୧୫, ଡିସେମ୍ବର ମାସ ୩ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି କମିଟି ଅନୁଧ୍ୟାନ କରିବା ପରେ ଲାଇସେନ୍ସ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶକୁ ହେୟଜ୍ଞାନ କରି ସିଏମସି ଏବେ ବେଆଇନ ଭାବେ ଲାଇସେନ୍ସ ପ୍ରଦାନ କରୁଥିବା ଆବେଦନରେ ଦର୍ଶାଯାଇଛି। କମିଟିର ବିନା ପରାର୍ମଶରେ ସିଏମସିର କିଛି କର୍ମଚାରୀ ମଣ୍ଡପ ସ୍ଥିତି ଅନୁଧ୍ୟାନ କରି ସର୍ତ୍ତମୂଳକ ଲାଇସେନ୍ସ ପ୍ରଦାନ କରୁଥିବା ଦର୍ଶାଯାଇଛି।

ଲାଇସେନ୍ସ ପ୍ରଦାନ କ୍ଷେତ୍ରରେ କୋର୍ଟ ୨୦୧୬ ନଭେମ୍ବର ମାସ ୯ ତାରିଖରେ ଏକ ଗାଇଡ଼ଲାଇନ ଧାର୍ଯ୍ୟ କରିଥିଲେ। କିନ୍ତୁ ସିଏମସି କୋର୍ଟଙ୍କ ଆଦେଶକୁ ଉଲଘଂନ କରିବା ସହ ଗଠିତ ସବ କମିଟିକୁ ନଜଣାଇ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିଲ ହୋଇଥିବା ମଣ୍ଡପକୁ ଅନୁଧ୍ୟାନ କରିଥିବା ଦାୟର ମିସ କେସରେ ଦର୍ଶାଯାଇଛି। ଆମିକସ୍ କ୍ୟୁରି ଅରୁଣ କୁମାର ବୁଦ୍ଧିଆ ଏହି ମାମଲା ପରିଚାଳନା କରୁଛନ୍ତି।

Leave A Reply

Your email address will not be published.