ରେଲୱେ ଲେବୁଲ କ୍ରସିଂ ଫାଟକ ଭାଙ୍ଗି ଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟଣା: ପରିବାରକୁ ୮ ଲକ୍ଷ ଟଙ୍କା ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରେଲୱେ ଲେବୁଲ କ୍ରସିଂ ଫାଟକ ଭାଙ୍ଗି ଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାରେ ସୁଧ ସହିତ ୮ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ସମ୍ବଲପୁରର ମଦନ ନାୟକ ଓ ତାଙ୍କ ଝିଅଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟରେ ମାମଲା ଆବେଦନ ହେବା ଦିନରୁ ବାର୍ଷିକ ୬ ପ୍ରତିଶତ ସୁଧ ହାରରେ ଏହି କ୍ଷତିପୂରଣ ଅର୍ଥ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୧୪ ମସିହା ଏପ୍ରିଲ ୨୩ ତାରିଖରେ ଆବେଦନକାରୀ ମଦନ ନାୟକଙ୍କ ୨୩ ବର୍ଷର ପୁଅ ସମ୍ବଲପୁର ଲକ୍ଷ୍ମୀଡୁଙ୍ଗୁରୀ ଲେବୁଲ କ୍ରସିଂ ଦେଇ ଯାଉଥିବା ବେଳେ ତାଙ୍କ ଉପରେ ଫାଟକ ଗଳି ପଡିଥିଲା। ଏଥିରେ ସଂପୃକ୍ତ ଯୁବକଙ୍କର ମୃତ୍ୟୁ ହୋଇଥିଲା।

ପୂର୍ବରୁ ଅଦାଲତ ଏହି ଘଟଣାରେ ୮ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶର ନବୀକରଣ ଓ ସୁଧ ପ୍ରଦାନ ନିମନ୍ତେ ଆବେଦନକାରୀ ପିଟିସନ ଦାୟର କରିଥିଲେ। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଆବେଦନକାରୀଙ୍କୁ ଏହି କ୍ଷତିପୂରଣ ପ୍ରଦାନ କରିବାକୁ ଡିଆରଏମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଯେଉଁଦିନ ଏହି ଅର୍ଥ ପଇଠ ହେବ ସେହି ସମୟ ପର୍ଯ୍ୟନ୍ତ ୬ ପ୍ରତିଶତ ବାର୍ଷିକ ସୁଧ ହିସାବରେ ଅର୍ଥରାଶି ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.