ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଓଡ଼ିଶାର ବିଭିନ୍ନ ବାର ଆସୋସିଏସନ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି, ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଲେ ଓଡିଶା ହାଇକୋର୍ଟ ରେଜିଷ୍ଟ୍ରାର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଓଡ଼ିଶାର ବିଭିନ୍ନ ବାର ଆସୋସିଏସନ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିବା ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି ଓଡିଶା ହାଇକୋର୍ଟ ରେଜିଷ୍ଟ୍ରାର। ବିଭିନ୍ନ ଜିଲା ଜଜଙ୍କ ସୂଚନାକୁ ଆଧାର କରି ରେଜିଷ୍ଟ୍ରାର ସୁପ୍ରିମକୋର୍ଟରେ ଏହି ସତ୍ୟପାଠ ଦାଖଲ କରିଛନ୍ତି। ରାଜ୍ୟରେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ କୋର୍ଟକାର୍ଯ୍ୟ ବର୍ଜନ ନେଇ ସୁପ୍ରିମକୋର୍ଟ କଡା ଚେତାବନୀ ଦେଇଥିଲେ। ଆଇନଜୀବୀମାନେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ପାଇଁ କଡା ନିର୍ଦ୍ଦେଶ ଥିବାବେଳେ ଏଥିରେ ଅବଜ୍ଞା ହେଲେ ସେମାନଙ୍କ ଲାଇସେନ୍ସ ବାତିଲ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ।

ଓଡିଶା ସରକାରଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ ସଞ୍ଜୟ କିଶନ କୌଲ ଓ ବିଚାରପତି ଜଷ୍ଟିସ ଅଭୟ ଏସ ଓକ୍କାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ସମ୍ପର୍କରେ ସମସ୍ତ ଜିଲ୍ଲା ସେସନସ ଜଜ ଓ ପୋଲିସ ଡିଜିଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଥିଲା ବୋଲି ଏହି ସତ୍ୟପାଠରେ ଦର୍ଶାଯାଇଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଗଞ୍ଜାମ, କୋରାପୁଟ, ଦେବଗଡ଼, ସମ୍ବଲପୁର, ବାଲେଶ୍ଵର ଓ ଢେଙ୍କାନାଳ ଆଦି ଜିଲ୍ଲାରେ ଆନ୍ଦୋଳନ ଜାରି ରହିଥିବା ସତ୍ୟପାଠରେ ଉଲ୍ଲେଖ ରହିଛି। ସମ୍ବଲପୁରରେ ଆନ୍ଦୋଳନ ଯୋଗୁଁ ଓକିଲ ପୋଲିସ ମୁହାଁମୁହିଁ ହେବା ସହ ଓକିଲମାନେ ଜିଲା ଜଜ ଓ ଅନ୍ୟ ଜୁଡିସିଆଲ ଅଧିକାରୀଙ୍କୁ କୋର୍ଟ ଭିତରେ ପୁରାଇ ଦେଇ ନଥିଲେ। ଏହି ଘଟଣାରେ ସମ୍ବଲପୁର ପୋଲିସ ୨୯ ଜଣ ଓକିଲଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି। ରାଜ୍ୟରେ ଓକିଲ ମାନଙ୍କର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଗତ ଜାନୁଆରୀ ମାସରୁ ସେପ୍ଟେମ୍ବର ମଧ୍ୟରେ ୨ଲକ୍ଷ ୧୪ ହଜାର ୧୭୬ ଘଂଟା କୋର୍ଟ ସମୟ ନଷ୍ଟ ହୋଇଛି। ଏଭଳି ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ବରଦାସ୍ତ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା କାଲି ହେବ ବୋଲି ଧାର୍ଯ୍ୟ କରାଯାଇଛି।

Leave A Reply

Your email address will not be published.