ଗୁମୁରି ଗୁମୁରି କାନ୍ଦୁଛି ଓଡିଶା, ଓଡିଶାର ବୀର ସହିଦ ଯବାନ ଦେବାଶିଷ ବିଶ୍ୱାଳଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଓଡିଶା ପାଇଁ ଦୁଃଖଦ ଖବର । ଆଜି ଓଡିଶା ମାଟି ତା’ର ବୀର ସନ୍ତାନଙ୍କୁ ହରାଇଛି । ଜାମ୍ମୁ ଓ କାଶ୍ମୀର ପୁରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଛନ୍ତି ଓଡିଶାର ବୀର ଯବାନ ଦେବାଶିଷ ବିଶ୍ୱାଳ । ଦେବାଶିଷଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି- ଦେଶର ସୁରକ୍ଷାରେ ଦେବାଶିଷଙ୍କ ବଳିଦାନ ସର୍ବଦା ସ୍ମରଣୀୟ ରହିବ । ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ପରିବାର ସଦସ୍ୟଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନା ଅନୁସାରେ, ଜାମ୍ମୁ ଓ କାଶ୍ମୀର ପୁଞ୍ଚରେ ଗତକାଲି ଗ୍ରେନେଡ ହମଲା ହୋଇଥିଲା । ଆତଙ୍କୀଙ୍କ ଆକ୍ରମଣରେ ୫ ଯବାନ ସହିଦ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି । ଏହି ହମଲା ଲାଗି ନିଜକୁ ଦାୟୀ କରିଛି ଜୈସ ସଂଗଠନ ସମର୍ଥିତ ପିପୁଲସ ଆଣ୍ଟିଫାସିଷ୍ଟ ଫ୍ରଣ୍ଟ ବା ପିଏଏଫଏଫ ।

ଗତକାଲି ଜାମ୍ମୁ ଓ କାଶ୍ମୀରର ରାଜୌରୀ ସେକ୍ଟରରେ ଯବାନମାନେ ଗାଡି଼ରେ ଆସୁଥିବାବେଳେ ଭିମ୍ବର ଗଳି ଅଂଚଳରେ ଆତଙ୍କବାଦୀମାନେ ଗାଡି ଉପରକୁ ଗ୍ରେନେଡ ଆକ୍ରମଣ କରିଥିଲେ । ପରେ ଗାଡିଟି ଜଳି ଯାଇଥିଲା । ପ୍ରବଳ ବର୍ଷା ଓ ଅସ୍ପଷ୍ଟ ପରିବେଶର ସୁଯୋଗ ନେଇ ସେମାନେ ଏହି ଆକ୍ରମଣ କରିଥିଲେ । ପ୍ରାଣ ହରାଇଥିବା ଯବାନ ହେଉଛନ୍ତି ରାଷ୍ଟ୍ରୀୟ ରାଇଫଲସ ୟୁନିଟର ଏବଂ ସେମାନେ ଆତଙ୍କବାଦ ଦମନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଆତଙ୍କୀ ହମଲାରେ ସହିଦ ହୋଇଥିବା ଯବାନମାନେ ହେଲେ ହାବିଲଦାର ମନଦୀପ ସିଂ, ଲାନସ ନାଏକ ଦେବାଶିଷ ବିଶ୍ୱାଳ , ଲାନସ ନାଏକ କୁଲୱନ୍ତ ସିଂ. ସିପାହୀ ହରକିଷନ ସିଂ ଓ ସିପାହୀ ସେବକ ସିଂ । ବୀର ସନ୍ତାନମାନଙ୍କୁ ହରାଇ ଭାରତମାତା ଗର୍ବ ଅନଚଭବ କରୁଥିଲେ ବି ଭିତରେ ଗୁମୁରି ଗୁମୁରି କାନ୍ଦୁଛି ।

Leave A Reply

Your email address will not be published.