ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜାଡ଼ରେ ଥରୁଛି ଓଡ଼ିଶା । ଉତ୍ତରରୁ ଉପାନ୍ତ ଅଥବା ଉପକୂଳ, ସବୁଠି ପାରଦ ତଳ ମୁହାଁ ହୋଇଥିବାରୁ ଥଣ୍ଡାରେ ଥରୁଛି ଓଡ଼ିଶା । ରାତିରେ ସର୍ବନିମ୍ନ ସ୍ଵାଭାବିକ ତାପମାତ୍ରା ୨ରୁ ୩ ଡିଗ୍ରୀ ତଳକୁ ଖସି ଆସିଛି । ୧୦ଡିଗ୍ରୀ ତଳେ ରାଜ୍ୟର ପ୍ରାୟ ୧୪ ଟି ସହରର ତାପମାତ୍ରା । ଗତ କିଛିଦିନ ହେଲା ଶୀତ ସହ ୮ରୁ ଅଧିକ ଜିଲ୍ଲାରେ ଘନ କୁହୁଡି ଦେଖିବାକୁ ମିଳୁଛି ।
ବିଶେଷ କରି କେନ୍ଦୁଝର, କଳାହାଣ୍ଡି, କୋରାପୁଟ, କନ୍ଧମାଳ, ବଲାଙ୍ଗିର, ସୁନ୍ଦରଗଡ଼, ଅନୁଗୁଳ ଏବଂ ଢେଙ୍କାନାଳ ଆଦି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡି ଦେଖିବାକୁ ମିଳିଛି । ଅନ୍ୟପଟେ ୪ ଦିନ ହେଲାଣି ଲମତାପୁଟ ଅଞ୍ଚଳରେ ଶୀତର ପ୍ରକୋପ ବଢିବା ଆରମ୍ଭ ହୋଇଛି। ସନ୍ଧ୍ୟା ୭ଟା ପରେ ରାସ୍ତା ଘାଟ ଶୁନ୍ ଶାନ ହେଉଛନ୍ତି । ତେବେ ଦିନରେ ତାପମାତ୍ରା ୧୫ ରୁ ୨୦ ଡିଗ୍ରୀ ରହୁଥିବା ବେଳେ ରାତିରେ ଏହା ୪ ଡିଗ୍ରୀ ତଳକୁ ଖସିଯାଉଛି । ଶୀତ ସହ ଘନକୁହୁଡ଼ି ସାରା ଅଞ୍ଚଳକୁ ଢାଙ୍କି ରହିଛି । ଦିନ ୧୧ଟା ନହେବା ଯାଏଁ କୁହୁଡି ଛାଡୁନାହିଁ ।
ଯାହାଫଳରେ ଗାଡି ମଟର ଯାତାୟତରେ ବହୁ ଅସୁବିଧା ହେଉଥିବା ଦେଖିବାକୁ ମିଳିଛି ।ସେପଟେ ଶୀତକୁ ଛଡ଼ାଇବା ପାଇଁ ଲୋକେ ନିଆଁ ଲଗାଇ ବସୁଥିବା ବେଳେ ଚା’ ଦୋକାନରେ ଲୋକଙ୍କ ଭିଡ ଜମୁଛି । ଏହାସହିତ ପଡିଆରେ ବ୍ୟାୟାମ କରି ଶୀତ ଛଡାଉଛନ୍ତି ଲୋକେ । ତେବେ ଆଗକୁ ଆହୁରି ଶୀତ ବଢିବ ବୋଲି ସୂଚନା ମିଳିଛି ।