ଓଡ଼ିଆ ନ୍ୟୁଜ୍: ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ୫ ବର୍ଷରେ ୩୦ ହଜାର କିମି ରାସ୍ତା, ୫୦୦ ସେତୁ ନିର୍ମାଣ କରିବାକୁ ଲକ୍ଷ୍ୟ। PMGSY ରାସ୍ତା ନିର୍ମାଣ କ୍ଷେତ୍ରରେ ଓଡ଼ିଶା ଦେଶରେ ଚତୁର୍ଥ।ନିମ୍ନମାନର କାମ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ଠିକାଦାର ଓ ଦାୟିତ୍ବରେ ଥିବା ଅଧିକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ।ଠିକାଦାରଙ୍କର ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ପରାମର୍ଶ।ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଭିନ୍ନ ସଡକ ଓ ସେତୁ ନିର୍ମାଣ ଜରିଆରେ ରାଜ୍ୟର ସମସ୍ତ ଗ୍ରାମାଞ୍ଚଳକୁ ସବୁଦିନିଆ ରାସ୍ତା ସଂଯୋଗୀକରଣର ଗୁରୁଦାୟିତ୍ୱ ଏହି ବିଭାଗ ଉପରେ ନ୍ୟସ୍ତ ରହିଛି।
୫ ବର୍ଷ ଭିତରେ ୩୦ ହଜାର କିଲୋମିଟର ରାସ୍ତା ଓ ୫୦୦ ସେତୁ ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଛି। ବିଭିନ୍ନ ସ୍କିମ୍ ଓ ବଜେଟ୍ ମାଧ୍ୟମରେ ବିଭାଗକୁ ମିଳୁଥିବା ଅର୍ଥରାଶିର ଶତପ୍ରତିଶତ ଉପଯୋଗ କରି ରାଜ୍ୟବାସୀଙ୍କୁ ଉନ୍ନତମାନର ଗମନା ଗମନ ସୁବିଧା ଯୋଗାଇ ଦେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଏଥିସହିତ ରାସ୍ତା ଓ ସେତୁ ଗୁଡିକର ଗୁଣବତ୍ତା ସହିତ ଏହାର ରକ୍ଷଣା ବେକ୍ଷଣ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ନିମ୍ନ ମାନର କାମ କରୁଥିବା କଣ୍ଟ୍ରାକ୍ଟର ଓ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।