ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଶୁକ୍ରବାର କରମଣ୍ଡଳ ଏକ୍ସପ୍ରେସ ଘଣ୍ଟାପ୍ରତି ୧୨୮ କିମିରେ ଯାଉଥିବା ବେଳେ ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ ୧୨୬ କିମି ବେଗରେ ଆସୁଥିଲା। ମାଲବାହୀ ଟ୍ରେନକୁ ଧକ୍କା ଦେଇ ପ୍ରଥମେ କରମଣ୍ଡଳ ଲାଇନଚ୍ୟୁତ ହୋଇଥିଲା। ଏହାର ବଗି ତୃତୀୟ ଟ୍ରାକ୍କୁ ଛିଟିକି ପଡ଼ିଥିଲା। ଏତିକି ବେଳେ ସେହି ଟ୍ରାକ୍ରେ ଆସୁଥିବା ବେଙ୍ଗାଲୁରୁ ହାୱାଡା ଏକ୍ସପ୍ରେସ ଏହାକୁ ଧକ୍କା ଦେଇଥିଲା। ଏଥିରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଛି। ହଜାରେରୁ ଅଧିକ ଆହତ ହୋଇଛନ୍ତି। ବାଲେଶ୍ବର ବାହାନଗା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ମୃତାହତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ଆନ୍ଧ୍ର ସରକାର।
ରବିବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ନିଜ ରାଜ୍ୟର ମୃତାହତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି। ଦୁର୍ଘଟଣାରେ ଆନ୍ଧ୍ର ପ୍ରଦେଶର ଯେଉଁ ଲୋକମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏଥିସହ ଗୁରୁତର ଆହତଙ୍କୁ ୫ ଲକ୍ଷ ଓ ସାମାନ୍ୟ ଆହତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇଦେବାକୁ ନିର୍ଦେଶ ଦେଇଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ।ରବିବାର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ରିଲିଫ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି।
ଏହି ବୈଠକରେ ଆର୍ଥିକ ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରର ସହାୟତା ବ୍ୟତୀତ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁକମ୍ପା ଯୋଗାଇ ଦିଆଯିବ।