ଓଡିଶା ଟ୍ରେନ ଟ୍ରାଜେଡି , ବଡ ଘୋଷଣା କଲା ଏଲ୍‌ଆଇସି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବାଲେଶ୍ୱର ଜିଲା ବାହାନଗା ରେଳ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ପକ୍ଷରୁ ଗଭୀର ଦୁଃଖପ୍ରକାଶ କରାଯାଇଛି। ଏପରିକି ପୀଡ଼ିତମାନଙ୍କୁ ସହାୟତା କରିବା ଲାଗି ଏଲ୍‌ଆଇସି ପକ୍ଷରୁ ବିଶେଷ ରିହାତି ସୁବିଧା ସମ୍ପର୍କରେ ମଧ୍ୟ ଘୋଷଣା କରାଯାଇଛି।  ୨୦୨୩ ଜୁନ ୨ରେ ଘଟିଥିବା ଦୁଃଖଦ ରେଳ ଦୁର୍ଘଟଣାକୁ ମଧ୍ୟ ଏଲ୍‌ଆଇସି ବେଶ୍‌ ଗୁରୁତ୍ୱର ସହ ଗ୍ରହଣ କରିଛି। ଏପରିକି ପୀଡ଼ିତମାନଙ୍କୁ ସହାୟତା କରିବା ଲାଗି ଏଲ୍‌ଆଇସି ଦୃଢ଼ ସଂକଳ୍ପବଦ୍ଧ ରହିଛି ଏବଂ କ୍ଷତିଗ୍ରସ୍ତ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ନିମନ୍ତେ ଦାବି ସମାଧାନ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯିବ ବୋଲି ଏଲଆଇସି ଅଧ୍ୟକ୍ଷ ସିଦ୍ଧାର୍ଥ ମହାନ୍ତି ଏକ ପ୍ରେସ ବିବୃତିରେ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି।

ଏପରିକି ଉକ୍ତ ଘଟଣାରେ ସେ ଦୁଃଖ ପ୍ରକଟ କରି କହିଛନ୍ତି, ଆମେ ପୀଡ଼ିତ ଓ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଉଛୁ। ବିଶେଷକରି ଏଲଆଇସି ପଲିସି ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାର ଦାବି କରୁଥିବା ପୀଡ଼ିତମାନଙ୍କ ସମସ୍ୟା ଦୂର କରିବା ଲାଗି ସିଦ୍ଧାର୍ଥ ମହାନ୍ତି ଏକାଧିକ ରିହାତି ସମ୍ପର୍କରେ ଘୋଷଣା କରିଛନ୍ତି। ଏପରିକି ପଞ୍ଜୀକୃତ ମୃତ୍ୟୁ ପ୍ରମାଣପତ୍ର ପରିବର୍ତ୍ତେ, ରେଲଓ୍ବେ ଅଧିକାରୀ, ପୋଲିସ କିମ୍ବା କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ମୃତକଙ୍କ ତାଲିକାକୁ ମଧ୍ୟ ହିତାଧିକାରୀଙ୍କ ମୃତ୍ୟୁ ପ୍ରମାଣପତ୍ର ଭାବେ ସ୍ବୀକାର କରାଯିବ। ସେହିଭଳି ବୀମା ଦାବି ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ଦେବା ଏବଂ ଦାବିଦାରମାନଙ୍କୁ ସହାୟତା ଯୋଗାଇ ଦେବା ଲାଗି ଏଲଆଇସିର ବିଭିନ୍ନ ମଣ୍ଡଳ ଓ ଶାଖା ସ୍ତରରେ ସ୍ବତନ୍ତ୍ର ସହାୟତା ଡେସ୍କ ମଧ୍ୟ ପ୍ରତିଷ୍ଠା କରାଯାଇଛି।

ବିଶେଷକରି ଏଲଆଇସି ହିତାଧିକାରୀ ଦାବିଦାରଙ୍କ ନିକଟରେ ପହଞ୍ଚିବା ଏବଂ ପୀଡ଼ିତ ପରିବାରଗୁଡ଼ିକର ଦାବିକୁ ଯଥାଶୀଘ୍ର ସମାଧାନ କରିବା ନିମନ୍ତେ ନିଗମ ସବୁପ୍ରକାର ପଦକ୍ଷେପ ଗ୍ରହଣ କରୁଥିବା ସିଦ୍ଧାର୍ଥ ମତବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ ବୀମା ସମ୍ପର୍କିତ ଅଧିକ ସହାୟତା ପାଇଁ ଦାବିଦାରମାନେ ନିକଟସ୍ଥ ଶାଖା, ଡିଭିଜନ, ଗ୍ରାହକ ଜୋନରେ ମଧ୍ୟ ଯୋଗାଯୋଗ କରିପାରିବେ। ଏପରିକି ଦାବିଦାରମାନେ ଏଲଆଇସିର କଲ୍‌ ସେଣ୍ଟର ନମ୍ବର ୦୨୨୬୮୨୭୬୮୨୭ କୁ ମଧ୍ୟ କଲ୍‌ କରିପାରିବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.