ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସମ୍ବଲପୁର ପିଏଚ୍ଡ଼ି ପଡ଼ିଆରେ ହେବାକୁ ଥିବା ବିଶାଳ ଜନ ସମାବେଶରେ ଯୋଗ ଦେବେ ଶ୍ରୀ ଶାହ। ସମ୍ବଲପୁର ସଭାରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ପ୍ରତାପ ଷଡ଼ଙ୍ଗୀ, ଅପରାଜିତା ଷଡ଼ଙ୍ଗୀ ଓ ସମ୍ବଲପୁର ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ର ଉପସ୍ଥିତ ରହିବେ। ସୂଚନା ଅନୁଯାୟୀ, ପ୍ରଥମେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ମା ସମଲେଇଙ୍କ ମନ୍ଦିର ଯାଇକୁ ପୂଜାର୍ଚ୍ଚନା କରିବେ।
ଏହପରେ ସେଠାରୁ ସେ ପିଏଚଡି ପଡ଼ିଆ ସଭାସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି। ପିଏଚଡି ପଡ଼ିଆରେ ବିଶାଳ ଜନସଭାକୁ ସମ୍ବୋଧିତ କରିବା ପରେ ନିଜ ଦଳର ପ୍ରାର୍ଥୀମାନଙ୍କ ପାଇଁ ଭୋଟ ଭିକ୍ଷା କରିବେ ଶ୍ରୀ ଶାହ। ସମ୍ବଲପୁର ସଭା ପରେ ଶାହା କେନ୍ଦୁଝର ଯିବେ। ସେଠାରେ ମେଡିକାଲ ଗ୍ରାଉଣ୍ଡରେ ଆୟୋଜିତ ହୋଇଛି ବିରାଟ ଜନସଭା କାର୍ଯ୍ୟକ୍ରମ। ଲୋକଙ୍କୁ ଗୃହମନ୍ତ୍ରୀ ସମ୍ବୋଧନ କରିବା ସହ ଭୋଟ ପାଇଁ ନିବେଦନ କରିବେ। ସେଠାରୁ ଢେଙ୍କାନାଳର ପରଜଙ୍ଗ ପରେ ନୟାଗଡ଼ ଯିବେ ଗୃହମନ୍ତ୍ରୀ ଅମିତ ଶାହ। ସେଠାରେ ଲୋକଙ୍କୁ ସମ୍ବୋଧନ କରିବା ସହ ନିଜ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନ୍ୟ କେନ୍ଦ୍ର ମନ୍ତ୍ରୀ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରୁଛନ୍ତି । ଆଜି ମଧ୍ୟ ଶାହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବେ ବୋଲି ଚର୍ଚ୍ଚା ହେଉଛି। ସେହିପରି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କର ଆଜି ମୋରଡ଼ା, ଉଦଳା, ଯଶୀପୁର, ରାଇରଙ୍ଗପୁର, ବାଙ୍ଗୀରିପୋଷି ଓ ବାରିପଦାରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।