ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ୩ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି ଓଡିଶା ଭିଜିଲାନ୍ସ, ୯ କୋଟି ଟଙ୍କାରୁ ଅଧିକ ରହିଛି ଆୟ ବହିର୍ଭୂତ ସମ୍ପତ୍ତି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗୋପାଳପୁର ବିଧାୟକ ଡକ୍ଟର ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ୩ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି ଓଡିଶା ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ ମାମଲାରେ ଲୋକୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ଏହି ଚାର୍ଜସିଟ୍ ଦାଖଲ କରାଯାଇଥିବା ଜଣାଯାଇଛି। ଏହି ଚାର୍ଜସିଟରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଖରେ ୯ କୋଟି ୧୮ ଲକ୍ଷ ୧୩ ହଜାର ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ରହିଥିବା ଉଲ୍ଲେଖ କରାଯାଇଛି। ଲୋକାୟୁକ୍ତଙ୍କ ଅନୁମତି କ୍ରମେ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ ଚାର୍ଜସିଟ ଦାଖଲ କରିଛି ଭିଜିଲାନ୍ସ। ପ୍ରଦୀପ ପାଣିଗ୍ରାହୀଙ୍କ ସମେତ ତାଙ୍କ ପତ୍ନୀଙ୍କ ନାଁରେ ଏହି ଆୟ ବର୍ହିଭୁତ ସମ୍ପତ୍ତି ଠୁଳର ଚାର୍ଜସିଟ ଦାଖଲ କରାଯାଇଛି। ଲୋକୟୁକ୍ତଙ୍କ ପକ୍ଷରୁ ଭିଜିଲାନ୍ସ କୋର୍ଟରେ ଏହି ମାମଲା ପରିଚାଳନା କରାଯିବ। ଚାର୍ଜସିଟ ଦାଖଲ ପରେ ଅଭିଯୁକ୍ତ ମାନଙ୍କୁ ଭିଜିଲାନ୍ସ କୋର୍ଟ ପକ୍ଷରୁ ସମନ ଜାରି କରାଯିବ। ଏହା ପରେ ମାମଲା ଆଗକୁ ବଢି ଅଦାଲତରେ ଶୁଣାଣି ଚାଲିବ। ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଟଙ୍କା ଠକେଇ ମାମଲାରେ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ସହିତ ଛନ୍ଦି ହେବାପରେ ବିଧାୟକ ଡ. ପାଣିଗ୍ରାହୀଙ୍କ ଅଡୁଆ ବଢିଥିଲା। ତାଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଜନବିରୋଧୀ କାର୍ଯ୍ୟକ୍ରମ ପାଇଁ ଦଳରୁ ୨୦୨୦ ନଭେମ୍ବର ୨୯ ରେ ବହିଷ୍କୃତ କରାଯାଇଥିଲା।

ଟଙ୍କା ଠକେଇ ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚ ୨୦୨୦ ଡିସେମ୍ବର ୩ତାରିଖରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଥିଲା। କିଛି ମାସ ଜେଲ୍‌ରେ ରହିବା ପରେ ସେ ଜାମିନ୍‌ ପାଇଥିଲେ। ତାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ଆସିଥିଲା। ଲୋକୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ଭିଜିଲାନ୍ସ ବିଭାଗ ଦ୍ବାରା ଏହି ଅଭିଯୋଗର ତଦନ୍ତ କରି ଲୋକୟୁକ୍ତଙ୍କ ନିକଟରେ ରିପୋର୍ଟ ଦାଖଲ କରାଯାଇଥିଲା। ଲୋକାୟୁକ୍ତଙ୍କ ନିକଟରେ ବିଧାୟକ ଡ. ପାଣିଗ୍ରାହୀଙ୍କ ନାମରେ ଗତ ୯.୧୨.୨୦୨୦ରେ ଅଭିଯୋଗ ହୋଇଥିଲା ଏବଂ ତାହାକୁ ନେଇ ଲୋକାୟୁକ୍ତରେ ଏକ ମାମଲା ରୁଜୁ ହୋଇଥିଲା। ତେବେ ଗୁପ୍ତ ତତନ୍ତରୁ ଡ. ପାଣିଗ୍ରାହୀ ବେଆଇନ ସମ୍ପତ୍ତି ଠୁଳ କରିଥିବା ଜଣାପଡିବା ପରେ ୨୦୨୦ ଡିସେମ୍ବର ୧୧ରେ ଲୋକାୟୁକ୍ତ-ଓଡ଼ିଶା ଭିଜିଲାନ୍ସକୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଲୋକାୟୁକ୍ତ ଆଇନ-୨୦୧୪ର ଅଧିନିୟମ ୨୦(୨)ରେ ତଦନ୍ତ କରାଯାଇ ଜଣାପଡିଥିଲା ଯେ ଡ. ପାଣିଗ୍ରାହୀ ସାଧାରଣ ଲୋକଙ୍କ ସେବ‌ାରେ ଥାଇ ବେଆଇନ ସମ୍ପତ୍ତି ଠୁଳ କରିଛନ୍ତି।

ସେ ଗତ ୨୦୦୦ ମେ ୨୪ରୁ ୨୦୨୦ ନଭେମ୍ବର ୩୦ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ସେବାରେ ଥାଇ ୫କୋଟି ୫ଲକ୍ଷ ୪ ହଜାର ୬୫୬ ଟଙ୍କାର ସମ୍ପତ୍ତି ଠୁଳ କରିଛନ୍ତି। ଭିଜିଲାନସ ପକ୍ଷରୁ ଗତ ୨୦୨୧ ମେ ୨୮ରେ ତଦନ୍ତ ଶେଷକରି ଲୋକାୟୁକ୍ତଙ୍କ ନିକଟରେ ଚୂଡ଼ାନ୍ତ ରିପୋର୍ଟ ଦିଆଯାଇଥିଲା। ତଦନ୍ତ ରିପୋର୍ଟକୁ ଲୋକାୟୁକ୍ତ ଅନୁଧ୍ୟାନ କରିବା ଏବଂ ଏ ନେଇ ଡ. ପାଣିଗ୍ରାହୀ ଉତ୍ତର ପାଇ ସାରିବା ପରେ ଏହାର ତଦନ୍ତ କରିବା ସହିତ ଅନୁସନ୍ଧାନ କରିବାକୁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିଲେ। ଲୋକୟୁକ୍ତଙ୍କ ନିର୍ଦେଶରେ ୨୦୨୧ ମସିହା ଅକ୍ଟୋବର ୪ ତାରିଖରେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ ହୋଇଥିଲା।

Leave A Reply

Your email address will not be published.