ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଆସନ୍ତାକାଲି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏହାର ପ୍ରଭାବରେ ବର୍ଷାରେ ଭିଜିବ ଓଡିଶା । କାଲିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଚିବ ବର୍ଷା । ଏଥିପାଇଁ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ମାତ୍ରାରେ ବର୍ଷା ସମ୍ଭାବନା ରହିଛି । ୧୭ ତାରିଖ ପର୍ୟ୍ୟନ୍ତ କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ସେଥିପାଇଁ ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ୧୭ତାରିଖରେ ପଶ୍ଚିମ ଓଡ଼ିଶାରେ ୭୦ରୁ ୧୧୦ ମିଲିମିଟର ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ବିଶେଷ କରି ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ବର୍ଷା ହୋଇଯାଇଛି। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଗଜପତି, ଗଞ୍ଜାମ, ଖୋର୍ଧା, ଢେଙ୍କାନାଳ, ସୁନ୍ଦରଗଡ଼ ଓ ଅନୁଗୁଳ ଜିଲ୍ଲାରେ ଆଜି ବର୍ଷା ହୋଇଥିବା ଦେଖିବାକୁ ମିଳିଛି।
ଆସନ୍ତାକାଲି ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ତେବେ ଏହି ବର୍ଷା ରାଜ୍ୟକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଟାଣି ଆଣିବ ନାହିଁ। ମୌସୁମୀ ଏବେ ରାଜ୍ୟରେ ଦୁର୍ବଳ ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବରର ପାଗ ଆଂଶିକ ମେଘୁଆ ରହିବ।