ଓଡିଆ ନ୍ୟୁଜ୍(ବ୍ୟୁରୋ): ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ସଦାନନ୍ଦପୁର ଗାଁର ସୁପ୍ରଭା ପଣ୍ତା । ସବୁଠି ତାଙ୍କ ପ୍ରଶଂସା । ଚାରିଆଡେ ତାଙ୍କୁ ନେଇ ଚର୍ଚ୍ଚା । ସୁପ୍ରଭାଙ୍କ ସମର୍ପଣ ଭାବ ହିଁ ଆଜି ତାଙ୍କୁ କରିଛି ସର୍ବ ପ୍ରଶଂସିତ । ସ୍ୱାମୀଙ୍କ ଶେଷ ଇଛା ପୁରା କରି ସମଗ୍ର ସାରା ରାଜ୍ୟରେ ପାଲଟିଛନ୍ତି ଉଦାହରଣ । ଜମି ବିକି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଦାନ କରିଛନ୍ତି ୨୦ ଲକ୍ଷ ଟଙ୍କା । ପୁରୀ ଯାଇ ଶ୍ରୀମନ୍ଦିର ପ୍ରଶାସନକୁ ଚେକ୍ ଦାନ କରିଛନ୍ତି । ଆଉ ଚେକ ଗ୍ରହଣ କରିବା ସହ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଦେଇ ତାଙ୍କୁ ସମ୍ମାନିତ କରିଛି ଶ୍ରୀମନ୍ଦିର ପ୍ରଶାସନ ।
ପଙ୍କଜକାନ୍ତ ପଣ୍ଡା ଓ ତାଙ୍କ ପତ୍ନୀ ସୁପ୍ରଭା ପଣ୍ଡାଙ୍କ କୌଣସି ସନ୍ତାନସନ୍ତତି ନାହାନ୍ତି । କମର୍ସିଆଲ ଟାକ୍ସ ଅଫିସର ଭାବେ ଅବସର ନେଇଥିବା ପଙ୍କଜକାନ୍ତ ମହାପ୍ରଭୁଙ୍କୁ କିଛି ଦାନ କରିବାକୁ ସେ ଇଚ୍ଛା ପ୍ରକାଶ କରିଥିଲେ । ତେବେ ୨୦୨୧ ମସିହାରେ ତାଙ୍କର ପରଲୋକ ଘଟିଥିଲା । ଏହାପରେ ମହାପ୍ରଭୁଙ୍କୁ ଦାନ ପାଇଁ ସୁପ୍ରଭା ପଣ୍ଡା କଟକରେ ଥିବା ନିଜ ଜମିକୁ ୩୫ ଲକ୍ଷ ଟଙ୍କାରେ ବିକି ଦେଇଥିଲେ । ଶ୍ରୀମନ୍ଦିରର ପ୍ରଶାସନକୁ ୨୦ ଲକ୍ଷ ଟଙ୍କା ଚେକ୍ ଦେଇଥିବା ବେଳେ ବାକି ୧୫ ଲକ୍ଷ ବସ୍ତା ଶମ୍ଭୁନାଥ ହାଇସ୍କୁଲ ମୋ ସ୍କୁଲ ଅଭିଯାନକୁ ପ୍ରଦାନ କରିଛନ୍ତି । .