ମୋମୋ ଖାଇ ଜଣେ ମୃତ, ୧୫ ଅସୁସ୍ଥ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୋମୋ ଖାଇବା ପରେ ଚାଲିଗଲା ୩୧ବର୍ଷୀୟ ମହିଳାଙ୍କ ଜୀବନ। ୧୫ଜଣ ଅସୁସ୍ଥ ହୋଇଥିବା ନେଇ ସୂଚନା। ହାଇଦ୍ରାବାଦର ବଞ୍ଜାରା ହିଲ୍ସରେ ଘଟିଛି ଏଭଳି ଘଟଣା। ଏବେ ପୁଲିସ ଏହି ଘଟଣାର ଯାଞ୍ଚ କରୁଛି। ସୂଚନା ମିଳିଛି ଯେ, ଅସୁସ୍ଥ ହୋଇଥିବା ଲୋକମାନେ ସମାନ ଦୋକାନରୁ ମେ‌ାମୋ ଖାଇଥିଲେ । ସୂଚନା ମୁତାବକ, ହାଇଦ୍ରାବାଦର ବଞ୍ଜାରା ହିଲ୍ସର ରାସ୍ତା କଡ଼ରେ ଥିବା ଖାଦ୍ୟ ଷ୍ଟଲରେ ମୋମୋ ଖାଇବା ପରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସେହିପରି ପ୍ରାୟ ୧୫ରୁ ଅଧିକ ଜଣ ଅସୁସ୍ଥ ହୋଇପଡିଛନ୍ତି। ସୋମବାର ଏନେଇ କିଛି ପୀଡିତ ବଞ୍ଜାରା ହିଲ୍ସ ପୁଲିସ ନିକଟରେ ଅଭିଯୋଗ କରିଥିଲେ।

ଅଭିଯୋଗ ମୁତାବକ, ଶୁକ୍ରବାର ଦିନ ଗୋଟିଏ ହିଁ ଷ୍ଟଲରୁ କିଛି ଲୋକ ମୋମୋ ଖାଇଥିଲେ। ତେବେ ମୋମୋ ଖାଇବାର ଘଣ୍ଟାକ ପରେ ଏମାନଙ୍କୁ ପେଟରେ ଯନ୍ତ୍ରଣା ହେବା ସହ ବାନ୍ତି ଓ ଝାଡ଼ା ହୋଇଥିଲା। ଏହାପରେ ବଞ୍ଜାର ହିସ୍ଲ ସ୍ଥିତ ବିଭିନ୍ନ ହସ୍ପିଟାଲରେ ଏମାନେ ଭର୍ତ୍ତି ହୋଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ରେଶମା ବେଗମ ନାମକ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ତାଙ୍କୁ ନିଜାମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଲିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।ମୃତ ମହିଳାଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ମୋମୋ ଖାଇ ଘରକୁ ଫେରିବା ପରେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିଲା।

ତୁରନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ଚିକିତ୍ସିତ ଅବସ୍ଥାରେ ତାଙ୍କର ସୋମବାର ମୃତ୍ୟୁ ହୋଇଥିଲା। ମହିଳାଙ୍କ ମୃତ୍ୟୁ ପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ଯାଞ୍ଚ କରିବାରୁ ଅଭିଯୁକ୍ତଙ୍କ ପାଖରେ ଷ୍ଟଲ ଖୋଲିବା ପାଇଁ ବୈଧ ଲାଇସେନ୍ସ ନଥିବା ଜଣାପଡ଼ିଥିଲା। ଏହି ଘଟଣା ପରେ ଲାଇସେନ୍ସ ନଥିବା ରାସ୍ତାକଡ଼ର ଷ୍ଟଲରୁ ଖାଦ୍ୟ ଖାଇବା ସମୟରେ ସତର୍କତା ଅବଲମ୍ବନ କରିବାକୁ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି।

Comments are closed.