ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ପ୍ରଥମେ କଲେଜ ଯିବା ବାଟରେ ସ୍ଥାନୀୟ ଜୈନିକ ଛାତ୍ରୀଙ୍କୁ ଅନେକ ଥର ପ୍ରେମ ନିବେଦନ କରି ବିଫଳ ହେଲା ଆଉ ତାପରେ ବଳ ପୂର୍ବକ ଜୋର ଜବରଦସ୍ତି କରି ଯୁବତୀ ଙ୍କ ସହ ଫଟୋ ଉଠେଇ ଭାଇରାଲ୍ କଲା ଆଉ ଏବେ ଅଭିଯୋଗ ଆଧାରରେ ଅଭିଯୁକ୍ତ ରାଜା କୁ କୋର୍ଟ ଚାଲାଣ କରିଛି ପୋଲିସ।ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅଂଚଳରେ।
ଅଭିଯୋଗ ମୁତାବକ ସ୍ଥାନୀୟ ପାଟୁଳୀ ଗ୍ରାମର ୨୨ ବର୍ଷୀୟା ଯୁବତୀ ସ୍ଥାନୀୟ ବାରିକପୁର କଲେଜର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ଅଟନ୍ତି।ଏହି ଯୁବତୀ କଲେଜ ଯିବା ବାଟରେ କେନ୍ଦୁଆପଦା ଗ୍ରାମର ୨୫ ବର୍ଷୀୟ ଯୁବକ ରାଜେଶ ପହି ଓରଫ ରାଜା ଅନେକ ଥର ଏକତରଫା ପ୍ରେମ ନିବେଦନ କରୁଥିଲେ।ହେଲେ ଜୈନିକ ଯୁବତୀ ଏହାକୁ ପ୍ରତ୍ୟାଖାନ କରିବା ସହ ଘର ଲୋକଙ୍କୁ ଜଣାଇ ଥିଲେ।ଏହାର କିଛି ଦିନ ପରେ କଲେଜ ଯିବା ସମୟରେ ରାଜେଶ ଓରଫ ରାଜା ଉକ୍ତ ସ୍ଥାନୀୟ କଲେଜ ଛାତ୍ରୀଙ୍କୁ ବାଟରେ ଅଟକାଇ ବଳ ପୂର୍ବକ ଫଟୋ ଉଠାଇ ଥିଲେ ।ଯୁବତୀ ଭୟଭୀତ ହୋଇ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ରାଜେଶ କୁ ଅଟକାଇ ଯୁବତୀଙ୍କ ବାପାଙ୍କୁ ଖବର ଦେଇଥିଲେ। ପ୍ରଥମେ ପାଟୁଳୀ ପଂଚାୟତରେ ଏହାର ଆପୋଷ ସମାଧାନ ହୋଇଥିଲା।
ସମାଧାନ ପରେ ରାଜା ମୋବାଇଲରୁ ଫଟୋ ହଟାଇବା ପରିବର୍ତ୍ତେ ଫଟୋ ଭାଇରାଲ କରିବା ସହ ଜୈନିକ ଯୁବତୀଙ୍କ ଉପରେ ଏସିଡ ପକାଇବାକୁ ଧମକ ଦେଇଥିଲା।ରଜେଶଙ୍କ ଏଭଳି ଦୋରାତ୍ମ୍ୟରେ ଅତିଷ୍ଠ ହୋଇ ଶେଷରେ ଯୁବତୀ ଜଣକ ଭଣ୍ଡାରୀପୋଖରୀ ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗ ଆଧାରରେ ପୋଲିସ କେସ ନମ୍ୱର୍ ୩୨୯/୨୩ ରେ ମାମଲା ରୁଜୁ କରିବା ସହ ରାଜେଶ କୁ ଗିରଫ କରି କୋର୍ଟ ଚାଲାଣ କରିଛି।ତେବେ ଏଭଳି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।