ଆସନ୍ତାକାଲି ବିରୋଧୀ ମହାମେଣ୍ଟ ଇଣ୍ଡିଆ ବୈଠକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପାଞ୍ଚଟି ରାଜ୍ୟର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏବେ ଇଣ୍ଡିଆ ମେଣ୍ଟରେ ରାଜନୈତିକ ଅସ୍ଥିରତା ଜାରି ରହିଛି। କୁହାଯାଉଛି ଯେ ଇଣ୍ଡିଆ ମେଣ୍ଟର ଆଗାମୀ ବୈଠକକୁ ନେଇ ଅଖିଳେଶ, ମମତା କ୍ଷୁବ୍ଧ ଥିବା ବେଳେ ଏବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ନାରାଜ ଥିବାର ଚର୍ଚ୍ଚା ଜୋର ଧରିଛି |

ନୀତୀଶ କୁମାର ଇଣ୍ଡିଆ ମେଣ୍ଟ ବୈଠକରେ ଯୋଗଦେବେ ନାହିଁ ବୋଲି ଚର୍ଚ୍ଚା ଧରୁଛି। ସୂଚନା ଅନୁଯାୟୀ, ନୀତିଶ କୁମାର ବିରୋଧୀ ମେଣ୍ଟ ବୈଠକ ପାଇଁ ଆସନ୍ତାକାଲି ଦିଲ୍ଲୀ ଯିବେ ନାହିଁ । ସେ ନଗଲେ ବି ଜେଡିୟୁ ପକ୍ଷରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂହ ଏବଂ ବିହାର ଜଳସମ୍ପଦ ମନ୍ତ୍ରୀ ସଞ୍ଜୟ କୁମାର ଝା’ ଦିଲ୍ଲୀ ଗସ୍ତ କରିପାରନ୍ତି । ସେହିପରି ଆରଜେଡିରୁ ଲାଲୁ ପ୍ରସାଦ ଯାଦବ ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏହି ବୈଠକରେ ସାମିଲ ହେବାର ସୂଚନା ରହିଛି । ତେବେ ମମତାଙ୍କ ପରେ ନୀତିଶ ବୈଠକରୁ ଦୂରେଇ ରହିବା ମେଣ୍ଟରେ ବଢୁଥିବା ଫାଟ ଆଡକୁ ଇସାରା ଦେଉଛି । ବିଧାନସଭା ନିର୍ବାଚନରେ ବିଜେପିଠାରୁ ପରାଜିତ ହେବା ପରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ଡିସେମ୍ବର ୬ରେ ଇଣ୍ଡିଆ ମେଣ୍ଟ ବୈଠକ ଡକାଇଛନ୍ତି । ଦୀର୍ଘ ୩ ମାସ ପରେ ଏହି ବିରୋଧୀ ମେଣ୍ଟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।

ଏଥିରେ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ବିଜେପିକୁ ଚେକ୍ ଦେବାକୁ ରଣନୀତି ପ୍ରସ୍ତୁତି ଉପରେ ଆଲୋଚନା କରାଯାଇପାରେ । ଏଥିସହ ଆସନ୍ତା ନିର୍ବାଚନରେ ଆସନ ବୁଝାମଣା ସଂକ୍ରାନ୍ତରେ ମଧ୍ୟ ଚର୍ଚ୍ଚା ହୋଇପାରେ । ତେବେ ବେଙ୍ଗାଲୁରୁ ଓ ମୁମ୍ବାଇ ବୈଠକରେ ନୀତିଶ କୁମାର ଆସନ ବୁଝାମଣା ପାଇଁ ଏକ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ । ହେଲେ ସେତେବେଳେ ତାଙ୍କ କଥା କେହି ଶୁଣିନଥିଲେ । ତେଣୁ ଏହାକୁ ନେଇ ନୀତିଶ ଅସନ୍ତୁଷ୍ଟ ଅଛନ୍ତି ବୋଲି କୁହାଯାଉଛି ।

Leave A Reply

Your email address will not be published.