OPSC ପରୀକ୍ଷା ଘୁଞ୍ଚାଇବା ମାମଲାରେ ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ, ଅଗଷ୍ଟ ୨୭ରେ ହେବ ପରୀକ୍ଷା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଏଏସଓ ପରୀକ୍ଷା ଘୁଞ୍ଚାଇବାକୁ ମାମଲାରେ ହସ୍ତକ୍ଷେପ କରିବା ପାଇଁ ମନା କରି ଦେଇଛନ୍ତି ହାଇକୋର୍ଟ। ରାଜ୍ୟରେ ବନ୍ୟା ଚିନ୍ତାଜନକ ସ୍ଥିତିରେ ଥିବା ବେଳେ ଅଗଷ୍ଟ ୨୭ରେ ଅନୁଷ୍ଠିତ ହେବାକୁ ଥିବା ଏଏସଓ ଲିଖିତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଉ ବୋଲି ଦର୍ଶାଇ ଏକ ମାମଲା ଦାୟର ହୋଇଥିଲା। ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିବା ସହିତ ମାମଲାର ଶୁଣାଣିରେ ହାଇକୋର୍ଟ ଅନ୍ତ ଘଟାଇଛନ୍ତି। ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଡି.ପି.ଷଡଙ୍ଗୀ ଓ ଏସ.ବେହେରାଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଅଗଷ୍ଟ ୨୧ରେ ଏଏସଓ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓପିଏସସି (ଓଡ଼ିଶା ଲୋକସେବା ଆୟୋଗ) ପକ୍ଷରୁ ବହୁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ବନ୍ୟା ପରିସ୍ଥିତି ଦେଖା ଦେଇଥିଲା।

 ବନ୍ୟାପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ପରୀକ୍ଷା ଅଗଷ୍ଟ ୨୭ରେ କରିବା ପାଇଁ ସାନି ବିଜ୍ଞପ୍ତି ଓପିଏସସି ପକ୍ଷରୁ ପ୍ରକାଶ ପାଇଥିଲା। ରାଜ୍ୟରେ ବନ୍ୟା ସ୍ଥିତିରେ ସୁଧାର ଆସିନଥିବାରୁ ଏହି ପରୀକ୍ଷା ଆସନ୍ତା ୨୭ରେ ନକରିବାକୁ ଦାବି ଉଠିଥିଲା। ବନ୍ୟାସ୍ଥିତିରେ ସୁଧାର ପରେ ଏହି ପରୀକ୍ଷା କରାଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ। ନଚେତ ବହୁ ପ୍ରାର୍ଥୀ ପରୀକ୍ଷା ଦେଇ ପାରିବେ ନାହିଁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। କିନ୍ତୁ ଏଭଳି ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି ଓଡିଶା ହାଇକୋର୍ଟ।

Leave A Reply

Your email address will not be published.