କାର୍ତ୍ତିକ ମାସର ପଂଚୁକ ବ୍ରତ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ):ଗୁରୁବାରଠାରୁ ଆରମ୍ଭ ହେବ ପଞ୍ଚୁକ ବ୍ରତ । କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଲ ଏକାଦଶୀଠାରୁ ପୂର୍ଣ୍ଣିମା ପାଳନ କରାଯାଏ । ଏହା ମହା ପଞ୍ଚକ, ବଳ ପଞ୍ଚକ ବା ଭୀଷ୍ମ ପଞ୍ଚକ ଭାବେ ବେଶ ଜଣାସୁଣା । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ ପାଳନ କରିପାରନ୍ତି ନାହିଁ ସେମାନେ ଏହି ପାଞ୍ଚ ଦିନ ହବିଷ୍ୟ ପାଳନ କରିପାରନ୍ତି । ଆଉ କେତେକ ଲୋକେ ଅଳାଁ ନବମୀଠାରୁ ସାତଦିନ ହବିଷ୍ୟ କରନ୍ତି ।

ଏହି ପାଞ୍ଚ ଦିନ ଆମିଷ ଛାଡ଼ି ହିନ୍ଦୁମାନେ ସାତ୍ତ୍ବିକ ଭୋଜନ କରିଥାଆନ୍ତି । କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଏକାଦଶୀ ଠାରୁ ପୁରୁଷ ଓ ମହିଳା, ଯୁବକ ଯୁବତୀ ମାନେ ପ୍ରାତଃ କାଳରେ ସନ୍ନ କରି ପଞ୍ଚୁକ ପାଳନ କରନ୍ତି । ପିତାମହ ଭୀଷ୍ମ ବାସୁଦେବଙ୍କ ଠାରୁ ପ୍ରତି ବର୍ଷ କାର୍ତ୍ତିକ ମାସର ଶେଷ 5 ଦିନ ବ୍ରତ ରଖିକି ପାଳନ କରିବାକୁ କହିଥିଲେ । ସେହି ଅନୁସାରେ ବ୍ରତର ନାମକରଣ ଭୀଷ୍ମ ପଞ୍ଚୁକ ବୋଲି ରଖାଯାଇଛି । କିମ୍ବଦନ୍ତୀ ଅନୁଯାୟୀ, ଏହି ପଞ୍ଚୁକ ପାଞ୍ଚ ଦିନ ବଗମାନେ ମଧ୍ୟ ଆମିଷ ଭୋଜନରୁ ନିବୃତ୍ତ ରହିଥାଆନ୍ତି । ତେଣୁ ଏହାକୁ “ବକ ପଞ୍ଚକ” ମଧ୍ୟ କୁହାଯାଏ । ଅନ୍ୟପଟେ, ଶର ଶଯ୍ୟା ଉପରେ ଶାୟିତ ଭୀକ୍ଷ୍ମ ମୋକ୍ଷ ଧର୍ମ, ରାଜ ଧର୍ମ, ଦାନ ଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ତବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଞ ମଧ୍ୟ ଶୁଣିଥିଲେ । ଏଥିରେ ପ୍ରସନ୍ନ ହୋଇ ସେ ଭୀଷ୍ମଙ୍କୁ କହିଲେ, “ଆପଣ ଧନ୍ୟ । ଧର୍ମର ଗୂଢ଼ ରହସ୍ୟ ବର୍ଣ୍ଣନା କରିଛନ୍ତି । କାର୍ତ୍ତିକ ଏକାଦଶୀ ଦିନ ଆପଣ ଜଳର ଇଚ୍ଛା କରିଛନ୍ତି ।

ଅର୍ଜୁନ ବାଣ ଦ୍ୱାରା ଗଙ୍ଗା ଜଳ ପ୍ରସ୍ତୁତ କଲେ, ଯାହାଦ୍ୱାରା ଆପଣଙ୍କର ଦେହ ମନ ସନ୍ତୁଷ୍ଟ ହେଲା । ଏଣୁ ଆଜିଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚ ଦିନ ଯେଉଁମାନେ ତୁମକୁ ଜଳ ଅର୍ଘଦାନ କରିବେ ସେମାନେ ମୋତେ ତୃପ୍ତ କରିବେ । ଏହା ‘ଭୀଷ୍ମ ପଞ୍ଚକ’ ଭାବେ ନାମିତ ହେବା ସହ ପ୍ରତିବର୍ଷ ଏହାର ପାଳନ କରାଯିବ । ସାଧାରଣତଃ ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଅନେକ ଲୋକ ଏହି ‘ଭୀଷ୍ମ ପଞ୍ଚକ ବ୍ରତ’ ପାଳନ କରନ୍ତି । କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଏକ ଲକ୍ଷ ତୁଳସୀ ପତ୍ର ଭଗବାନ ବିଷ୍ଣୁଙ୍କ ନିକଟରେ ଅର୍ପଣ କଲେ ସମସ୍ତ ଦେବତା ପ୍ରସନ୍ନ ହୋଇଥାଆନ୍ତି ବୋଲି ବିଶ୍ୱାସ ରହିଛି । ତେବେ ପଞ୍ଚୁକ ଅବସରରେ ପୁରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କୁ ଅନେକ ଆକର୍ଷଣୀୟ ବେଶରେ ସଜ୍ଜିତ କରାଯାଏ ।

Leave A Reply

Your email address will not be published.