କୋର୍ଟ ଭିତରେ ଆଉ ଦେଖିବାକୁ ମିଳିବନି ଗଦା ଗଦା ଫାଇଲ, ଆଜି ସମସ୍ତ କୋର୍ଟକୁ କରାଗଲା କାଗଜ ବିହୀନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  କୋର୍ଟ ଭିତରେ କିମ୍ବା କୋର୍ଟ ମାଲଖାନାରେ ଗଦା ଗଦା ଫାଇଲ। ଆଉ ଦେଖିବାକୁ ମିଳିବନି ସେଭଳି ଦୃଶ୍ୟ। ରାଜ୍ୟର ସମସ୍ତ ଜିଲ୍ଲା ଜଜ କୋର୍ଟ ମାନଙ୍କରେ ଆଉ ବିଶେଷ ମାତ୍ରାରେ ନଥିପତ୍ର ଆଦି ଦେଖିବାକୁ ମିଳିବନି। ଆଜିଠାରୁ ରାଜ୍ୟର ସମସ୍ତ ଜିଲ୍ଲାର କୋର୍ଟକାର୍ଯ୍ୟକୁ କାଗଜ ବିହୀନ କରାଯାଇଛି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ ରାଜ୍ୟରେ ଏହି ବ୍ୟବସ୍ଥାକୁ ଆଜି ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଛନ୍ତି ଭିଓ୧: ଓଡିଶା ହାଇକୋର୍ଟ ପକ୍ଷରୁ ସମସ୍ତ ଜିଲା ଅଦାଲତକୁ କାଗଜ ବିହୀନ କରିବା ପାଇଁ ଇ- ଫାଇଲିଙ୍ଗ ବା ଇ- ଡ଼କୁମେଣ୍ଟ ବ୍ୟବସ୍ଥା କରାଯାଇଛି। କଟକ ସ୍ଥିତ ଜୁଡ଼ିସିଆଲ୍ ଏକାଡେମୀ ପରିସରରେ ଏହି ବ୍ୟବସ୍ଥାର ଉଦଘାଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଉତ୍ସବରେ ସୁପ୍ରିକୋର୍ଟ ବିଚାରପତି ଜଷ୍ଟିସ ଡି ୱାଈ ଚନ୍ଦ୍ରଚୁଡ, ଜଷ୍ଟିସ ଏମ୍ ଆର ଶାହା , ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ ମୂରଲୀଧର ପ୍ରମୁଖ ଯୋଗଦେଇ ନୂଆ ବ୍ୟବସ୍ଥା ସହ ଯୋଡ଼ି ହେବା ଲାଗି ସମସ୍ତଙ୍କୁ ଅପିଲ କରିଛନ୍ତି।

ରାଜ୍ୟରେ କୋର୍ଟ କାର୍ଯ୍ୟର ଏହି ନୂଆ ବ୍ୟବସ୍ଥାର ଲୋକାର୍ପଣ କରିବା ପରେ ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ କହିଛନ୍ତିଯେ, ମହାମାରୀ କରୋନା ଯୋଗୁଁ ପେପର ଲେସ ବ୍ୟବସ୍ଥା ସହ ବିଶେଷ ଭାବେ ପରିଚିତ ହୋଇଛି ଦେଶ । ତେଣୁ ପରିବର୍ତ୍ତିତ ପରିବେଶ ସହିତ ଖାପ ଖୁଆଇ ଚଳିବାର କଳା ସମସ୍ତେ ଶିଖିବା ଉଚିତ । ତେବେ ଅଦାଲତ ଗୁଡ଼ିକ ପେପର ଲେସ ହୋଇପାରିଲେ ଅଦାଲତଙ୍କ ସମୟ ବଞ୍ଚିବ। ସେହିପରି ମହକିଲ ମାନେ ଅଯଥା ଖର୍ଚ୍ଚାନ୍ତ ହେବାରୁ ରକ୍ଷା ପାଇବେ ଏବଂ ଆଇନଜୀବି ମାନେ ଅଧିକ ମାତ୍ରାରେ ଉପକୃତ ହୋଇପାରିବେ ବୋଲି କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ । ଏହା ସହିତ ଓଡ଼ିଶା ହାଇକୋର୍ଟ ସ୍ଥାପନ ହେବାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ସ୍ଵତନ୍ତ୍ର ଡାକ ଟିକଟ ପ୍ରଚଳନ କରାଯାଇଛି । ଏହାକୁ ମଧ୍ୟ ଲୋକାର୍ପଣ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ ।

ଓଡିଶା ହାଇକୋର୍ଟରେ ଇ- ଫାଇଲିଙ୍ଗ ବା ଇ- ଡ଼କୁମେଣ୍ଟ ବ୍ୟବସ୍ଥା ଦୀର୍ଘଦିନ ହେବ କାର୍ଯ୍ୟକାରୀ ହୋଇଥିବା ବେଳେ ଏହାର ସୁଫଳ ଉଭୟ ଓକିଲ ଓ ମହକିଲ ପାଇ ପାରୁଛନ୍ତି। ସେହିଭଳି ଜିଲା କୋର୍ଟ ଗୁଡିକରେ କାଗଜ ବିହୀନ କୋର୍ଟ କାର୍ଯ୍ୟ ରାଜ୍ୟରେ ଅଦାଲତି କାର୍ଯ୍ୟରେ ବେଶ ସୁଫଳ ଆଣିଦେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.